ନୂଆଦିଲ୍ଲୀ: ବେଲଜ୍ୟା ପାକିସ୍ତାନ, କେବେବି ସୁଧୁରିବନି । ଭାରତ ବିରୋଧରେ ଯାହା ମିଛ ଓଗାରୁଛି, ସେଥିପାଇଁ ସବୁବେଳେ ଅପଦସ୍ତ ହେଉଛି । ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନର ଅବସ୍ଥା ଏବେ କାଣି ବିରାଡି ଭଳି ହୋଇଥିବା ବେଳେ ପୁଣି ନିଜର ଫୁଟାଣି ପାଇଁ ଲଜ୍ଜିତ ହୋଇଛି । ଭାରତ ତାର ୧୩ଟି ସାମରିକ ଘାଟି ନଷ୍ଟ କରିବା ସତ୍ତ୍ୱେ, ପ୍ରଥମେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ଦେଇଥିଲେ, ଆଉ ଏବେ ଭାରତ ଉପରେ ମିଥ୍ୟା ଆକ୍ରମଣର କାହାଣୀ ତିଆରି କରିବା ପାଇଁ ଚୀନର ରକେଟ୍ ଫୋର୍ସର ଚିତ୍ର ଉପସ୍ଥାପିତ କରାଯାଇଛି।
ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ପ୍ରଦାନ କରିବା ଅବସରରେ ଆୟୋଜିତ ଏକ ରାତ୍ରୀଭୋଜନ ସମୟରେ, ମୁନିର ଶହବାଜଙ୍କୁ ଏକ ଫଟୋଫ୍ରେମ୍ ଗିଫ୍ଟ କରିଥିଲେ । ଉପହାର ସ୍ୱରୂପ ଦେଇଥିବା ଏହି ଫଟୋଟିରେ ଦର୍ଶାଯାଇଥିଲା ଯେ ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନ ସେନାର ତୋପ ଭାରତ ଉପରେ କିପରି ଆକ୍ରମଣ କରିଥିଲା । ଚିତ୍ରଟିରେ ଏକାଧିକ ରକେଟ୍ ଲଞ୍ଚର୍ ସିଷ୍ଟମ୍ ଏକକାଳୀନ ଗୁଳିଚାଳନା ଦେଖାଯାଉଛି। ରକେଟ ଫାୟାରିଂ ଯୋଗୁଁ ଚିତ୍ରରେ ନିଆଁର ଏକ ବାଦଲ ଭଳି ମଧ୍ୟ ଦୃଶ୍ୟମାନ ହେଉଛି ।
ଯେତେବେଳେ ଫଟୋଟିର ସତ୍ୟତା ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ଫଟୋଟି ପାକିସ୍ତାନୀ ସେନାର ନୁହେଁ ବରଂ ଚୀନର ପିଏଲଏ ସେନାର ରକେଟ ଫୋର୍ସର। ଏହି ଫଟୋଟି ୨୦୧୯ ମସିହାର, ଯାହାକୁ ଚୀନ୍ ସେନା ଏକ ସାମରିକ ଅଭ୍ୟାସ ସମୟରେ ଉଠାଇଥିଲା। ଏହି ଚିତ୍ରଟି ଚୀନର ପିଏଲଏ-ସେନାର ୱେବସାଇଟରେ ମଧ୍ୟ ଦେଖିପାରିବେ। ଶାହବାଜ ସରିଫ ମୁନିରଙ୍କୁ ୨୦୧୯ ବର୍ଷର ଚୀନ୍ ସେନାର ଏକ ଫଟୋ ଉପହାର ଦେଇଥିବା ଜଣାପଡିବା ମାତ୍ରେ, ପାକିସ୍ତାନରେ ଲୋକମାନେ ତାଙ୍କୁ ଉପହାସ କରିବା ଆରମ୍ଭ କରିଥିଲେ । ଯାହା ସୋସିଆଲ ମିଡିଆାରେ ଭାଇରାଲ ହେବା ପରେ, ପୁଣି ଲଜ୍ଜିତ ହୋଇଛି ପାକିସ୍ତାନ ।
ଏହା ପ୍ରଥମ ଥର ନୁହେଁ ଯେବେ ପାକିସ୍ତାନ ନିଜର ବିଜୟ ଭାବରେ ନକଲି ଖବର ପ୍ରଚାର କରିବାକୁ ଚେଷ୍ଟା କରିଛି। ସିନ୍ଦୂର ଅପରେସନ୍ ପରେ ତୁରନ୍ତ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇଶାକ ଦାର ତାଙ୍କ ଦେଶର ସଂସଦରେ ଲଣ୍ଡନର ଡେଲି ଟେଲିଗ୍ରାଫର ଏକ କ୍ଲିପିଂ ଦେଖାଇ ଭାରତୀୟ ବାୟୁସେନାକୁ ଉପହାସ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏକ ପାକିସ୍ତାନୀ ଖବରକାଗଜ ନିଜେ ଏହାର ବୈଦେଶିକ ମନ୍ତ୍ରୀ ଏବଂ ଉପପ୍ରଧାନମନ୍ତ୍ରୀଙ୍କ ମିଛକୁ ପ୍ରକାଶ କରିଦେଇଥିଲା। ପାର୍ଲାମେଣ୍ଟରେ ଯେଉଁ ଖବରକାଗଜ କ୍ଲିପିଂ ଦେଖାଇଥିଲେ ତାହା ପ୍ରକୃତରେ ଏକ ସମ୍ପାଦିତ ଶୀର୍ଷକ ଥିଲା ଯାହା ଫଟୋଶପ୍ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା।
ସେହିପରି, ଏକ ବିଶ୍ୱସ୍ତରୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତର ଯୁଦ୍ଧ ବିମାନ ବିଷୟରେ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ସୋସିଆଲ ମିଡିଆର ଉଦାହରଣ ଦେଇଥିଲେ। ତେବେ ଭାରତଠାରୁ ପରାସ୍ତ ହେବା ପରେ, ପାକିସ୍ତାନୀ ଶାସକମାନେ ସେମାନଙ୍କର କ୍ରୋଧ ଶୁଝାଇବା ପାଇଁ ମିଥ୍ୟା ଏବଂ ଭିତ୍ତିହୀନ ଖବର ପ୍ରସାର କରିବାକୁ ଯେକୌଣସି ସୀମାକୁ ଯାଉଛନ୍ତି।
Comments are closed.