ନୂଆଦିଲ୍ଲୀ: ଆମେରିକାରେ ଅପଦସ୍ତ ହେଲା ପାକିସ୍ତାନ । ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲା, ଆମେରିକାର ସାଂସଦ ଦେଖାଇଦେଲେ ଔକାତ୍ । ଆମେରିକା ଗସ୍ତରେ ୱାଶିଂଟନ ଡିସିରେ ପହଞ୍ଚିଥିବା ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ କଂଗ୍ରେସମ୍ୟାନ ବ୍ରାଡ ଶର୍ମାନଙ୍କୁ ଭେଟିଥିବା ବେଳେ ବରିଷ୍ଠ ଆମେରିକୀୟ ସାଂସଦ ବ୍ରାଡ ଶର୍ମାନ କଡା ଭାଷାରେ ସତର୍କ କରାଇଛନ୍ତି । କହିଛନ୍ତି, ପାକିସ୍ତାନ ସର୍ବପ୍ରଥମେ ଘୃଣ୍ୟ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦକୁ ନିପାତ କରିବା ସହିତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବା ଉଚିତ ।
ତେବେ ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୁର ଏବଂ ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତା ବିଷୟରେ ବିଶ୍ବ ଆଗରେ ନିଜର ଆଭିମୁଖ୍ୟ ରଖୁଥିବା ବେଳେ, କପି କ୍ୟାଟ ପାକିସ୍ତାନ ମଧ୍ୟ ସମାନ ବାଟ ଆପଣାଇଛି । ଯେଉଁଥିରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ ଆମେରିକା ଗସ୍ତ କରିଛନ୍ତି । ସେଠି କଂଗ୍ରେସମ୍ୟାନ ବ୍ରାଡ ଶର୍ମାନଙ୍କୁ ଭେଟିଥିଲେ ପାକିସ୍ତାନୀ ପ୍ରତିନିଧୁ ଦଳ ।
ଯାହାକୁ ନେଇ ଏକ୍ସରେ ସମାଲୋଚନା କରିଥିଲେ ବ୍ରାଡ ଶର୍ମାନ । ଯେଉଁଥିରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀଙ୍କୁ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଏବଂ ନିପାତ କରିବାକୁ କହିଥିଲେ, ବିଶେଷକରି ଜୈଶ-ଏ-ମହମ୍ମଦ ଗୋଷ୍ଠୀ, ଯେଉଁ ଆତଙ୍କବାଦୀ ଗୋଷ୍ଠୀ ୨୦୦୨ ମସିହାରେ ମୋ ନିର୍ବାଚନମଣ୍ଡଳୀର ଡାନିଏଲ୍ ପର୍ଲଙ୍କୁ ହତ୍ୟା କରିଥିଲା । ଆତଙ୍କବାଦୀ ଓମାର ସଇଦ ଶେଖଙ୍କୁ ୨୦୦୨ ମସିହାରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟର ଡାନିଏଲ୍ ପର୍ଲଙ୍କୁ ଅପହରଣ ଏବଂ ହତ୍ୟା କରିବାର ଷଡ଼ଯନ୍ତ୍ର ରଚିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଶର୍ମାନ କହିଥିଲେ ଯେ ପର୍ଲଙ୍କ ପରିବାର ଏବେ ବି ମୋ ଜିଲ୍ଲାରେ ରହୁଛନ୍ତି ଏବଂ ଏହି ଘୃଣ୍ୟ ଗୋଷ୍ଠୀକୁ ମୂଳୋତ୍ପାଟନ କରିବା ଏବଂ ଏହି ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନକୁ ଯଥାସମ୍ଭବ ପ୍ରୟାସ କରିବାକୁ ପଡିବ । ଏଥିସହିତ ସେ ଏହା ବି କହିଛନ୍ତି, ପାକିସ୍ତାନରେ ରହୁଥିବା ଖ୍ରୀଷ୍ଟିଆନ, ହିନ୍ଦୁ ଏବଂ ଅହମଦୀୟା ମୁସଲମାନମାନଙ୍କୁ ହିଂସା, ନିର୍ଯାତନା, ଭେଦଭାବ କିମ୍ବା ଅସମାନ ନ୍ୟାୟ ବ୍ୟବସ୍ଥାର ଭୟ ବିନା ସେମାନଙ୍କର ଧର୍ମ ପାଳନ କରିବାକୁ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ ।
ତେବେ କହିରଖୁଚୁ, ଆମେରିକାରେ ପାକିସ୍ତାନର ମୁଖ ପାଲଟିଥିବା ବିଲାୱାଲ, ଓ୍ବାସିଙ୍ଗଟନ ମାଟିରେ ଭାରତକୁ ଧମକ ଦେଇଥିଲେ । କହିଥିଲେ ଯେ ବିଶ୍ୱର କୌଣସି ଦେଶ, ଯେତେ ବଡ଼ କିମ୍ବା ଶକ୍ତିଶାଳୀ ହେଉ ନା କାହିଁକି, ଯଦି ଏହାର ଜଳ ଏବଂ ଭବିଷ୍ୟତ ବିପଦରେ ପକାଯାଏ ତେବେ ଚୁପ୍ ବସିବ ନାହିଁ, ପ୍ରତ୍ୟେକ ଦେଶ ନିଜ ଜଳ ପାଇଁ ଯୁଦ୍ଧ ଲଢ଼ିବ। ଜଳ ପାଇଁ ଯୁଦ୍ଧ ଏପର୍ଯ୍ୟନ୍ତ ସିଦ୍ଧାନ୍ତ ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ଭାରତ ପାକିସ୍ତାନର ଜଳ ଯୋଗାଣ ବନ୍ଦ କରି ଏକ ଅସ୍ତିତ୍ୱଗତ ସଂଘର୍ଷର ମୂଳଦୁଆ ପକାଇଛି, ଯାହା ପରମାଣୁ ଯୁଦ୍ଧରେ ପରିଣତ ହୋଇପାରେ ।
Comments are closed.