Latest Odisha News

BREAKING NEWS

ପାକିସ୍ତାନର ହାତ ଛାଡିଦେବ ବନ୍ଧୁ ଚୀନ?, ବିଶ୍ବ ମଞ୍ଚରେ କହିଲା……

ନୂଆଦିଲ୍ଲୀ: ପାକିସ୍ତାନର ହାତ ଛାଡିଦେବ ଚୀନ! ବିଶ୍ବ ମଞ୍ଚରେ ଦେଲା ବଡ ଝଟକା । ଅନ୍ତର୍ଜାତୀୟ ସ୍ତରରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି । ବ୍ରାସିଲିଆରେ ଅନୁଷ୍ଠିତ ୧୧ତମ ବ୍ରିକ୍ସ ସଂସଦୀୟ ଫୋରମ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୁଦ୍ଧରେ ଏକତ୍ରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ ନେଇଛି । ଯାହା ପାକିସ୍ତାନ ପାଇଁ ଏବେ ବଡ ଝଟକା । କରଣ ଏଥିରେ ଚୀନ୍ ବ୍ୟତୀତ ଅନେକ ମୁସଲିମ୍ ଦେଶ ଅନ୍ତର୍ଭୁକ୍ତ ।

କ’ଣ କହିଲେ ବ୍ରିକ୍ସ ରାଷ୍ଟ୍ର?

ଲୋକସଭା ସଚିବାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ବ୍ରିକ୍ସ ସଂସଦୀୟ ଫୋରମ୍ ଏପ୍ରିଲ ୨୨ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୁଦ୍ଧରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂକଳ୍ପ ନେଇଛି । ତେବେ ଏହି ସମ୍ମିଳନୀରେ ଭାରତର ନେତୃତ୍ବ ନେଇଥିବା ଲୋକସଭା ବାଚସ୍ପତି ତାଙ୍କ ଭାଷଣରେ କହିଥିଲେ, ଯେ ଆତଙ୍କବାଦ ଆଜି ଏକ ବିଶ୍ୱ ସଙ୍କଟ ପାଲଟିଛି, ଯାହାକୁ କେବଳ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ସାମ୍ନା କରାଯାଇପାରିବ। ଏଥିସହିତ ସେ ଚାରୋଟି ପ୍ରମୁଖ ପଦକ୍ଷେପ ପାଇଁ ପରାମର୍ଶ ଦେଇଥିଲେ। ଯେଉଁଥିରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ବନ୍ଦ କରିବା, ଗୁପ୍ତଚର ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା, ପ୍ରଯୁକ୍ତିର ଅପବ୍ୟବହାର ରୋକିବା ଏବଂ ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ ବୃଦ୍ଧି କରିବା ଭଳି ପ୍ରସଙ୍ଗକୁ ଉଠାଇଥିଲେ । ଆଉ ବୈଠକରେ ଉପସ୍ଥିତ ସମସ୍ତ ଦେଶ ଓମ୍ ବିର୍ଲାଙ୍କ ପଏଣ୍ଟଗୁଡ଼ିକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ ଏବଂ ଚୂଡ଼ାନ୍ତ ଘୋଷଣାପତ୍ରରେ ସାମିଲ ତାହାକୁ ସାମିଲ କରିଥିଲେ ।

ପାକିସ୍ତାନ ପାଇଁ ଟେନସନ ବ୍ରିକ୍ସ ସଦସ୍ୟ

ବ୍ରାଜିଲର ବ୍ରାସିଲିଆରେ ୧୧ତମ ବ୍ରିକ୍ସ ସଂସଦୀୟ ଫୋରମରେ ଏବେ ପାକିସ୍ତାନ ବିରୋଧ ସ୍ବର ଶୁଣିବାକୁ ମିଳିଛି । ପହଲଗାମ ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ବ୍ରିକ୍ସ ରାଷ୍ଟ୍ର । ଆଉ ପାକିସ୍ତାନ ନିଜେ ମାନିଛି ପହଲଗାମ ସତ । ଭାରତ ବିରୁଦ୍ଧରେ ଆତଙ୍କବାଦ ସହ ମିଶି ଲଢିଛି । ଯାହା ସାରା ବିଶ୍ବ ଦେଖିଥିବା ବେଳେ ଏବେ ଏହି ଆତଙ୍କବାଦ ପାକିସ୍ତାନ ପାଇଁ କାଳ ହେବାକୁ ବସିଛି । କାରଣ ବ୍ରିକ୍ସ ସଂସଦୀୟ ପ୍ୟାନେଲରେ ଚୀନ୍ ବ୍ୟତୀତ, ଅନେକ ମୁସଲିମ୍ ଦେଶ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ, ବ୍ରାଜିଲ୍, ରୁଷିଆ, ଚୀନ୍, ଦକ୍ଷିଣ ଆଫ୍ରିକା ଏବଂ ଇରାନ, ସଂଯୁକ୍ତ ଆରବ ଏମିରେଟ୍ସ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧିମାନେ ଏହି ଫୋରମ୍‌ରେ ଅଂଶଗ୍ରହଣ କରିଥିଲେ । ଅନ୍ୟପଟେ ଅପରେସନ୍ ସିନ୍ଦୂର ପରେ, ଭାରତ ବିଶ୍ୱର ବିଭିନ୍ନ ଦେଶକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାକିସ୍ତାନର ଆତଙ୍କବାଦର ପର୍ଦ୍ଦାଫାସ କରିବା ପରେ ଏବେ ଭାରତ ସମର୍ଥନରେ ଅନେକ ଦେଶ ନିଜର ମତ ଦେଉଛନ୍ତି । ଯାହା ଏବେ ପାକିସ୍ତାନ ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ।

ସୂଚନାଯୋଗ୍ୟ, ଜୁନ୍ ୫ ତାରିଖରେ ବ୍ରାଜିଲର ବ୍ରାସିଲିଆରେ ଅନୁଷ୍ଠିତ ଦୁଇ ଦିନିଆ ୧୧ତମ ବ୍ରିକ୍ସ ସଂସଦୀୟ ଫୋରମ୍ ଶେଷ ହୋଇଥିବା ବେଳେ ଘୋଷଣାପତ୍ର ଗ୍ରହଣ କରାଯାଇଥିଲା । ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନେଇଥିଲେ। ପ୍ରତିନିଧିମାନେ ଆତଙ୍କବାଦ ବ୍ୟତୀତ, ବୈଠକରେ ଏଆଇ, ବିଶ୍ୱ ବାଣିଜ୍ୟ, ଆନ୍ତଃସଂସଦୀୟ ସହଯୋଗ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ଶେଷରେ, ଓମ୍ ବିର୍ଲାଙ୍କୁ ଫୋରମ୍‌ର ଅଧ୍ୟକ୍ଷତା ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା, ଆଉ ଭାରତ ଆସନ୍ତା ବର୍ଷ ୧୨ତମ ବ୍ରିକ୍ସ ସଂସଦୀୟ ଫୋରମ୍ ଆୟୋଜନ କରିବ। ଯାହାକ ନେଇ ଲୋକସଭା ବିବୃତ୍ତିରେ କୁହାଯାଇଛି, ଭାରତ ଏବେ ବ୍ରିକ୍ସ ସଂସଦ ମଧ୍ୟରେ ସହଯୋଗକୁ ସୁଦୃଢ଼ ​​କରିବା ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ ଏକ ସହଭାଗୀ ଆଭିମୁଖ୍ୟକୁ ଆଗକୁ ବଢ଼ାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବ ।

Comments are closed.