Latest Odisha News

BREAKING NEWS

ଚୋକର୍ସ ନୁହନ୍ତି…ଚାମ୍ପିୟନ

ଦକ୍ଷିଣ ଆଫ୍ରିକା ଟିମକୁ ଏବେ ଚାମ୍ପିୟନ କହିବା ଅଭ୍ୟାସ କରିବାକୁ ପଡିବ । ଚୋକର୍ସ ଟ୍ୟାଗରୁ ଉଠି ଏବେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ଥର ଭଲ ପ୍ରଦର୍ଶନ କରିବା ସତ୍ୱେ ଟାଇଟଲ ହାତେଇ ପାରୁ ନ ଥିଲେ । ଏବେ ଏଥିରେ ଫୁଲ ଷ୍ଟପ ପକାଇଛନ୍ତି ଟେମ୍ବା ବାଭୁମା ଓ ଟିମ । ବାଭୁମାଙ୍କ ନେତୃତ୍ୱ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁ ସେମାନେ ଚାମ୍ପିୟନ ହୋଇଛନ୍ତି ।

୨୦୨୫ରେ ୱାଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ୨ ବର୍ଷ ହେବ ଦକ୍ଷିଣ ଆଫ୍ରିକା ଟିମ ଭଲ ପ୍ରଦର୍ଶନ କରୁଛି । ଟି୨୦ ବିଶ୍ୱକପ ଫାଇନାଲରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଥିଲା । ଅବଶ୍ୟ ଅଳ୍ପକେ ବାଜି ମାରିବାରୁ ରହି ଯାଇଥିଲା । ଭାରତ ଟାଇଟଲ ହାତେଇଥିଲା । ଏହା ପରଠାରୁ ଦଳ ଆଉ ପଛକୁ ଚାହିଁନି । ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା । ନ୍ୟୁଜିଲାଣ୍ଡଠାରୁ ହାରି ଦଳ ବିଦା ନେଇଥିଲା । ଟେଷ୍ଟ କ୍ରିକେଟରେ କ୍ରମାଗତ ୭ଟି ବିଜୟ ହାସଲ କରି ଦଳ ଫାଇନାଲରେ ପ୍ରବେଶ କରିଥିଲା ।

ଆଇସିସି ଟ୍ରଫିର ଫାଇନାଲରେ ସର୍ବଦା ଅଷ୍ଟ୍ରେଲିଆ ପ୍ରଭୂତ୍ୱ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ ସେୟା ଅନୁଭବ ହେଉଥିଲା । ଦକ୍ଷିଣ ଆଫ୍ରିକା ଏଥର ତରବର ହୋଇ ନ ଥିଲା କି ଚାପରେ ପଡି ନ ଥିଲା । ଧୈର୍ଯ୍ୟ ସହକାରେ ବିଶ୍ୱର ଶକ୍ତିଶାଳୀ ବୋଲିଂ ଲାଇନ ଅପକୁ ସାମ୍ନା କରି ବାଜି ମାରିଥିଲେ । ଆଡେନ ମାର୍କରାମ ଏବଂ ବାଭୁମାଙ୍କ ଇନିଂସକୁ ଯେତେ ପ୍ରଶଂସା କରାଯିବ ସେତେ କମ ହେବ । ମିଚେଲ ଷ୍ଟାର୍କ ଓ ଜୋଶ ହାଜେଉଡ ପ୍ରଥମ ଥର ଫାଇନାଲରେ ପରାଜିତ ହେବାର ସ୍ୱାଦ ଚାଖିଛନ୍ତି ।

ବାଭୁମାଙ୍କ ନେତୃତ୍ୱରେ ଦଳ ଅପରାଜେୟ ରହିଛି । ୧୦ରୁ ୯ରେ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଆଇସିସି ନକଆଉଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା କ୍ରିକେଟରେ ନୂଆ ସୂର୍ଯ୍ୟ ଉଦୟ ହୋଇଛି । ଚାମ୍ପିୟନ ହେବା ମାନେ ବାଘ ପାଟିରେ ରକ୍ତ ଲାଗିବା ସହ ସମାନ.. ଆଗକୁ ଦଳ ଆଉ କେତେ ଟ୍ରଫି ଜିତୁଛି ଦେଖିବା କଥା ।

Comments are closed.