ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ଭିଜନ ଡକ୍ୟୁମେଣ୍ଟ ଓଡିଶା ଭିଜନ 2036 ଓ 2047 ଉନ୍ମୋଚନ କରିଛନ୍ତି । ବିକଶିତ ଭାରତ ଲକ୍ଷ୍ୟ ପୂରଣ ସହ ବିକଶିତ ଓଡିଶା ସ୍ବପ୍ନ ସାକାର କରିବାକୁ ଏଥିରେ ବିଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶକୁ ଫୋକସ କରିବା ସହ ଶିକ୍ଷା, ପୋଷଣ କ୍ଷେତ୍ରରେ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ସତ ହେବ କି ବିଜେପିର ଭିଜନ ଓଡିଶା ?
ଓଡିଶା ବିକାଶର ବ୍ଲୁପ୍ରିଣ୍ଟ
2047 ସୁଦ୍ଧା 1.5 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ସହ 2036 ଓ 2047 ସୁଦ୍ଧା ସାମଗ୍ରିକ ବିକାଶ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅର୍ଥନୀତି 13 ଗୁଣା ବଢିବ । ମୁଣ୍ଡପିଛା ଆୟ ହେବ 28 ହଜାର ଡଲାର । 2 କୋଟି 40 ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ଉତ୍ପାଦନ କ୍ଷେତ୍ରର ଯୋଗଦାନ 23%ରୁ ବଢି 34% ହେବଷ ରାଜ୍ୟରେ ବ୍ୟାପକ ସହରୀକରଣ ହେବ । 100ଲକ୍ଷ କୋଟିର ନିବେଶ ଲକ୍ଷ୍ୟ ରଖାଯାଇଛି । ଫୋକସରେ ମହିଳା ଓ ଶିଶୁ ବିକାଶ ରହିଛି । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ 53%ରୁ ବୃଦ୍ଧି ହୋଇ 70% କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ କୁପୋଷଣ 18%ରୁ 5%କୁ ହ୍ରାସ କରିବାକୁ ଟାର୍ଗେଟ୍ ରଖାଯାଇଛି । ସେହିପରି ସୁସ୍ଥ ଓଡିଶା ଜରିଆରେ ଲୋକଙ୍କ ଆୟୁଷ ବୃଦ୍ଧି ପାଇଁ ପ୍ରୟାସ କରାଯିବ ।
ବରପୁତ୍ରଙ୍କୁ ସମ୍ମାନ
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବରପୁତ୍ରଙ୍କ ଜନ୍ମସ୍ଥଳୀର ବିକାଶ କରାଯିବ । ଯୋଜନାରେ ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ 15କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂରା ଯୋଜନାରେ ପ୍ରାୟ 19ହଜାର ଟଙ୍କା ବିନିଯୋଗ ହେବ । ବରପୂତ୍ରଙ୍କ ଜନ୍ମସ୍ଥଳୀରେ ପୂର୍ବପୁରୁଷଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା ସହ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସତ ହେବ କି ସ୍ବପ୍ନର ଓଡିଶା !
ବିଜେପି ସରକାରଙ୍କ ଭିଜନ ଓଡିଶାରେ ବିକାଶର ଚିତ୍ର ସାଙ୍ଗକୁ ରହିଛି ଓଡିଆ ଅସ୍ମିତାର ଛାପ । ତେବେ ବର୍ଷେ ଭିତରେ ସରକାରଙ୍କର ସେଭଳି ତତ୍ପରତା ଦେଖିବାକୁ ମିଳିନି । ଓଡିଆ ଅସ୍ମିତା କଥା କହି ବିଜେପି କ୍ଷମତାକୁ ଆସିଥିବା ବେଳେ ଏକ୍ଷେତ୍ରରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ସରକାର । ବର୍ଷକ ଭିତରେ ବିଜେପି ସରକାରଙ୍କ ସଫଳତାଠାରୁ ଅଧିକ ସମାଲୋଚନାର ଶିକାର ହେବାକୁ ପଡିଛି । ପ୍ରଶାସନିକ ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠିଛି ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ଏକପ୍ରକାର ହୁଗୁଳା ହୋଇଥିବା ବି ଅଭିଯୋଗ ହୋଇଛି । ଆଇନ ଶୃଙ୍ଖଳା ଓ ମହିଳା ବିରୋଧୀ ଅପରାଧ ବଢିଛି । ଏଭଳି ସ୍ଥିତିରେ ବିଜେପିର ଭିଜନ ଡକ୍ୟୁମେଣ୍ଟରେ ବିକାଶର ଗୋଲାପୀ ଚିତ୍ର ତ ଦେଖା ଯାଉଛି, ହେଲେ ବାସ୍ତବ ରୂପ ନେଇପାରିବ କି ନାହିଁ, ସେନେଇ ପ୍ରଶ୍ନ ଉଠୁଛି ।
Comments are closed.