ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ରବିବାର ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଫଳରେ ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି, ଆଜି ୧୧ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ଓ ହୋଇପାରେ ।
ବର୍ଷା ସମ୍ଭାବନା ଯୋଗୁଁ ପ୍ରବଳ ବର୍ଷା ପରେ ତଳିଆ ଅଞ୍ଚଳରେ ବନ୍ୟାସ୍ଥିତି ନେଇ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ସେହିପରି ଜୁଲାଇ ୧ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ତେବେ ଶନିବାର ଦିନକ ଯାକ ଭିତରେ ପ୍ରବଳ ବର୍ଷା ହୋଇଛି । ୨୪ ଘଣ୍ଟାରେ ୧୦୪ ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ, କଟକରେ ୨୨.୨, ଅନୁଗୁଳରେ ୨୧, ତାଳଚେରରେ ୧୯.୮, ବାଲେଶ୍ୱରରେ ୧୮.୪, ସମ୍ବଲପୁରରେ ୧୩.୭, ଭଦ୍ରକରେ ୧୧, ଜଗତସିଂହପୁରରେ ୮.୨, ଖୋର୍ଦ୍ଧାରେ ୭ ଓ ବରଗଡ଼ରେ ୬.୨ ମିମି ବର୍ଷା ରେକର୍ଡ ହୋଇଛି ।
Comments are closed.