ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବୃଦ୍ଧି ହେଲା ପୃଥିବୀର ସବୁଠାରୁ ବୃହତମ ତଥା ଭୟଙ୍କର ସାପର ପରିବାର । ରବିବାର ପ୍ରାଣୀ ଉଦ୍ୟାନର ସରୀସୃପ ସାରଣୀରେ ହଳଦିଆ ଆନାକୋଣ୍ଡା ୭ଟି ଛୁଆ ଜନ୍ମ ଦେଇଛି । ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ଟି ବୟସ୍କ ପୁରୁଷ, ୨ଟି ବୟସ୍କ ମାଈ ଏବଂ ୧୦ଟି ଛୋଟ ହଳଦିଆ ଆନାକୋଣ୍ଡା ଅଛନ୍ତି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ଏ ସମସ୍ତ ଅନାକୋଣ୍ଡା ସାପ ଅଛନ୍ତି, । ବିଭିନ୍ନ ପ୍ରକାରର ସାପଙ୍କ ମେଳରେ ରହିଛି ଅନାକୋଣ୍ଡା ସାପଙ୍କର ଏହି ଏନକ୍ଲୋଜର । ତେବେ ଖୁବ ଶୀଘ୍ର ଆଉ ଗୋଟିଏ ମାଈ ଅନାକୋଣ୍ଡା ପ୍ରସବ କରିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି । ନନ୍ଦନକାନାନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ସରୀସୃପଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ ଚିଡ଼ିଆଖାନାର ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
ସୂଚନାଯୋଗ୍ୟ, ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ୨୦୧୯ ଅକ୍ଟୋବର ୨୨ରେ ୮ଟି ହଳଦିଆ ଆନାକୋଣ୍ଡାଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟନକୁ ଅଣାଯାଇଥିଲା । ହେଲେ ଏଠାକାର ଜଳବାୟୁ ସହ ଖାପ ଖୁଆଇ ନ ପାରିବାରୁ ଗୋଟିଏ ପରେ ଗୋଟିଏ ଏପରି ୩ ରୁ ୪ଟି ମୃତ୍ୟୁବରଣ କରିଥିଲେ । ୨୦୨୨ ଜୁଲାଇରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା । ଏଥିରେ 3ଟି ଛୁଆ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦୁଇଟି ଛୁଆଙ୍କ ମୃତ୍ୟୁ ହୋଇଥିଲା ।
Comments are closed.