Latest Odisha News

BREAKING NEWS

ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଦୋଷୀକୁ କଠୋର ଦଣ୍ଡ ମିଳିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ସଂଘର୍ଷ ପରେ ସୋମବାର ରାତିରେ ଆଖି ବୁଜିଛନ୍ତି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି । ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେପଟେ, ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଏଥିପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ, ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଥିଲେ ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ବିଳମ୍ବିତ ରାତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା ।

ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କ ମୃତଦେହକୁ ତାଙ୍କ ନିଜ ଘର ବାଲେଶ୍ବର ଭୋଗରାଇ ଅଞ୍ଚଳକୁ ନିଆଯାଇଛି । ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି । ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟିଛି ଗାଁ । ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ ।

Comments are closed.