Latest Odisha News

BREAKING NEWS

ଲୋୟର ପିଏମଜିରେ ଧସ୍ତାଧସ୍ତି ପୋଲିସ୍- ବିଜେଡି କର୍ମୀ: ଆହତ ହେଲେ ବିଜେଡି ନେତା….

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।

ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ୍ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୋଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

ଆନ୍ଦୋଳନକୁ ଓହ୍ଲାଇ ମୃତ ଛାତ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ରାଜ୍ୟ ସରକାର ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ । ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅନ୍ତୁ । ଘଟଣାର ବିଚାରବିଭାଗୀୟ ତଦନ୍ତ ହେଉ । ଏସବୁ ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଅନ୍ୟପଟେ ବିଜେଡି ଆଜି ବାଲେଶ୍ବର ବନ୍ଦ କରିଛି । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ୮ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇତିବା ବେଳେ ଏହାର ପ୍ରଭାବ ଆଜି ସକାଳୁ ସକାଳୁ ବାଲେଶ୍ବରରେ ଦେଖିବାକୁ ମିଳିଥିଲା । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ବରରୁ ଅଭିଯାନ ଆରମ୍ଭ କରିଛି । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଦୋକାନ ବଜାର, ସରକାରୀ, ବେସରକାରୀ ଅଫିସ ସବୁ ବନ୍ଦ ରହିଥିବା ବେଳେ କାର୍ଯ୍ୟ ସବୁ ଠପ୍ ହୋଇଛି ।

Comments are closed.