ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ଯେ, ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । କର୍ମ କ୍ଷେତ୍ରରେ ଜୀବନହାନୀ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ଦିଆଯିବ ।
ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ IEC Activity କରାଯିବ । ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ୍ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି ।
ରାଜ୍ୟର ୧୧୫ଟି ସହରର ୧୦ ହଜାର ରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଆଜିର ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ମଞ୍ଚରୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରିମଳ କର୍ମୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ ଓ ଅନୁଭୂତିରୁ ବହୁତ କଥା ଶିଖି ପାରିବେ। ସମସ୍ତଙ୍କ ଅନୁଭବ ଓ ଶ୍ରେଷ୍ଠ ଚିନ୍ତାଧାରା ନେଇ ଆମେ ଆଗକୁ ବଢିବା ଓ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣରେ ନିଜି ନିଜର ଯୋଗଦାନ ରଖିବା ବୋଲି ସେ କହିଥିଲେ।
Comments are closed.