ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସହ କଣ୍ଟ୍ରାକ୍ଟ ବାତିଲ କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା । ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା । ହେଲେ ୮ ମାସ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି ।
ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ । କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ଏପରିକି ଦୁଇ କମ୍ପାନୀ ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି ।
ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି । ଗତ ୧୬ ତାରିଖରେ ଏ ନେଇ ବୈଠକ ବସିଥିଲା । ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି, ନୂଆ ରୂପରେଖ ଓ DPR ହେବ ବୋଲି ସୂଚନା ରହିଛି ।
ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବ୍ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା ।
Comments are closed.