Latest Odisha News

BREAKING NEWS

‘ଆମେ ପାକିସ୍ତାନର ଶତୃ ନୁହଁ, ପାକ୍ ସହ ପୁନଃ କ୍ରିକେଟ୍ ଖେଳିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ’

ଶ୍ରୀନଗର: ପାକିସ୍ତାନ ସହ ପୁଣି ଥରେ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଉ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି । ସେ ପାକିସ୍ତାନ ସହିତ କ୍ରିକେଟ ଖେଳିବା ନିଷ୍ପତ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ, ଭାରତ, ପାକିସ୍ତାନ ସହ ପୁନଃ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇ ଭଲ କରିଛି । ମୁଁ କେବଳ ଭାରତ ସରକାରଙ୍କୁ ଏତିକି କହିବାକୁ ଚାହୁଁଛି ଯେ, ଆମେ ପାକିସ୍ତାନର ଶତ୍ରୁ ନୁହଁନ୍ତି । ଯଦି ସରକାର ଶାନ୍ତି ଫେରାଇବାକୁ ଚାହାଁନ୍ତି ତେବେ ଆଲୋଚନା ମାଧ୍ୟମରେ ଏହା ସମ୍ଭବ ହୋଇପାରିବ । ଆଉ ଏହା ତୁରନ୍ତ ଆରମ୍ଭ କରିବା ଉଚିତ୍, ଯୁଦ୍ଧ ଦ୍ବାରା କିଛି ହାସଲ କରିହେବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ସମସ୍ୟାର ସମାଧାନ କରିପାରିବେ ବୋଲି ମେହବୁବା ମୁଫତି କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ପିଡିପିର ମୂଳମନ୍ତ୍ର ହେଉଛି ‘ଅମନ କି ବାତ, ଇଜ୍ଜତ କେ ସାଥ ହେ’। ଯେତେବେଳେ ପିଡିପି ଦଳ ଗଠନ ହୋଇଥିଲା, ସେହି ସମୟରେ ଜମ୍ମୁ ଏବଂ କଶ୍ମୀର ଆତଙ୍କବାଦୀଙ୍କ କବଳରେ ଥିଲା ଏବଂ ଏହା ମଧ୍ୟରେ, ଟାସ୍କ ଫୋର୍ସ ଗଠନ ହୋଇଥିଲା ଯାହାଙ୍କ ବିରୁଦ୍ଧରେ ମୁଫତି ମହମ୍ମଦ ସୟଦ ଲଢ଼ିଥିଲେ ଏବଂ ଶାନ୍ତି ବିଷୟରେ କଥା ହୋଇଥିଲେ । ମୁଁ କେବଳ ଏତିକି ଜାଣେ ଯେ ଯଦି ଯୁଦ୍ଧ ହୁଏ, ତେବେ ଏହା ଅନ୍ୟ ଅଂଶ ଅପେକ୍ଷା ଜମ୍ମୁ ଏବଂ କଶ୍ମୀର ପାଇଁ ଅଧିକ ବିନାଶକାରୀ ହେବ। ବୋଲି ସେ କହିଛନ୍ତି ।

ଏହାପରେ ମୁଫତି ଭାରତର ଅର୍ଥବ୍ୟବସ୍ଥାକୁ ନେଇ କହିଛନ୍ତି ଯେ, ଚୀନକୁ ଦେଖ, ସେମାନେ କେଉଁଠି ପହଞ୍ଚିଛନ୍ତି, ସେମାନଙ୍କର GDP କେଉଁଠି… ଆଉ ଭାରତରେ ଆମର ଯୁବଶକ୍ତି ଅଧିକ ଅଛନ୍ତି, କିନ୍ତୁ ଆମେ କେଉଁ ସ୍ଥାନରେ ରହିଛେ । ସେହିପରି ପାକିସ୍ତାନ ଅର୍ଥନୀତି ସହ ସେ ବାଂଲାଦେଶର ଅର୍ଥନୀତିକୁ ତୁଳନା କରି କହିଛନ୍ତି ଯେ, ପାକିସ୍ତାନ ଋଣରେ ବୁଡ଼ି ରହିଛି, ସେମାନଙ୍କର GDP ବାଂଲାଦେଶଠାରୁ ମଧ୍ୟ କମ୍ ।

ପାକିସ୍ତାନ ସହ ଯୁଦ୍ଧ ଶେଷ ହୋଇଛି ସତ ହେଲେ ବର୍ତ୍ତମାନ ଭାରତ ତାର ସାମରିକ କ୍ଷେତ୍ରକୁ ସଶକ୍ତ କରିବାରେ ଲାଗିପଡିଛି । ନୂତନ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ କିଣିବାର ଦୌଡ଼ ଆରମ୍ଭ ହୋଇଛି । ଆମର ଏକ ଦୃଢ ଅର୍ଥନୀତି ନାହିଁ, କିନ୍ତୁ ଆମେ ନୂଆ ବୋମା ଏବଂ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛୁ ବୋଲି ମୁଫତି କହିଛନ୍ତି ।

ସେ କହିଛନ୍ତି, ‘ଆମକୁ ବୈଦେଶିକ ନୀତିରେ ହସ୍ତକ୍ଷେପ କରିବାକୁ ପଡିବ କାରଣ ଆମେ ଏହା ଦ୍ୱାରା ପ୍ରଭାବିତ ହେଉଛୁ । ଏପର୍ଯ୍ୟନ୍ତ କ୍ଷମତାକୁ ଆସିଥିବା ସରକାରମାନଙ୍କୁ ଜମ୍ମୁ-କଶ୍ମୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି । ସେ ପୂର୍ବର ପ୍ରଧାନମନ୍ତ୍ରୀମାନଙ୍କୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀ ଯାହା କରିଥିଲେ କେହି କରିଛନ୍ତି କି… ଅଟଳ ବିହାରୀ ଯାହା କରିଥିଲେ କେହି କରିଛନ୍ତି କି… ମନମୋହନ ସିଂହ ପାକିସ୍ତାନ ଯାଇଥିଲେ ଏବଂ ତା’ପରେ ତାଙ୍କ ନିଜ ଦଳ ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ଜମ୍ମୁ-କଶ୍ମୀର ସମସ୍ୟା କେବଳ ମୋଦି ଜୀଙ୍କ ଦ୍ୱାରା ସମାଧାନ ହୋଇପାରିବ ଏବଂ ମୁଁ ଏବେ ବି ବିଶ୍ୱାସ କରେ ଯେ ଦିଲ୍ଲୀର ଲୋକମାନେ ଏହା ବୁଝିବା ଉଚିତ୍ । ଆମକୁ ପିଟିବା ପାଇଁ ସେମାନେ ଏଠାକୁ କେତେ ସୈନିକ ଆଣିବେ ବୋଲି ମୁଫତି ପ୍ରଶ୍ନ କରିଛନ୍ତି ।

ସେହିପରି, ମେହବୁବା ମୁଫତି ବିହାରରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭ୍ୟୁ (SIR)କୁ ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ ଏହାକୁ ସେ ମୁସଲମାନମାନଙ୍କ ବିରୁଦ୍ଧରେ ବୋଲି କହିଛନ୍ତି । ସେ କହିଛନ୍ତି, ‘ଆମ ଦେଶରେ ମୁସଲମାନମାନେ ନିର୍ଯାତିତ ହେଉଛନ୍ତି । ଆପଣ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭ୍ୟୁ (SIR) ଆଣିଛନ୍ତି, ଆପଣ ରୋହିଙ୍ଗ୍ୟାମାନଙ୍କୁ ସମୁଦ୍ରରେ ଫିଙ୍ଗି ଦେବାକୁ କହିଛନ୍ତି।’

Comments are closed.