ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଏକ ସାଧାରଣ ବ୍ୟାପାର ଭଳି ମନେ ହେଉଛି । ବିଶେଷ କରି କୋଟିକୋଟି ଟଙ୍କାରେ ନିର୍ମିତ ହେଉଥିବା ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି । କେବେ ପୂର୍ତ୍ତ ବିଭାଗ ତ କେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ହେଲେ ବର୍ତ୍ତମାନ ଦୁର୍ନୀତି ରେ ଆଗ ଧାଡ଼ିରେ ଠିଆ ହୋଇଛି କ୍ଷୁଦ୍ର ଜଳ ସେଚନ ବିଭାଗ ।
ପ୍ରଥମେ କେନାଲ ମରାମତି ଓ ଡ୍ୟାମ୍ ର ମରାମତି ନାଁରେ ବ୍ୟାପକ ହେରଫେର ହୋଇଥିବା ବେଳେ ବର୍ତ୍ତମାନ ରାସ୍ତା ନିର୍ମାଣ କାମରେ ନିମ୍ନ ରୁ ଅତି ନିମ୍ନ ମାନ କାମ କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାଲେମାଲେ ହୋଇଥିବା ଅଭିଯୋଗ ହୋଇଛି । କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ଖଡ଼ିଆଳ କୋମନା ମଧ୍ୟସ୍ଥ ଚାନ୍ଦୋପଲା ଠାରୁ ଧରମସାଗର ପର୍ଯ୍ୟନ୍ତ ହୋଇଥିବା ପିଚୁ ରାସ୍ତା ଏତେ ନିମ୍ନ ମାନରେ ଯେ ତାହା ଓଡ଼ିଶାରେ ପ୍ରଥମ ହୋଇଥିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିର୍ମିତ ହୋଇଥିବା ଚାନ୍ଦୋପଲା ଧରମସାଗର୍ ପିଚୁ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଜଳ ଜଳ ଦିଶୁଥିବା ବେଳେ ସରକାରୀ ନିୟମର ଖୁଲମଖୁଲା ଉଲଂଘନ ହୋଇଛି । ୨.୭୩ କିଲୋମିଟର ରାସ୍ତା ପାଇଁ ମୋଟ ୮୪.୩୮ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ସନ୍ତୋଷ ଅଗ୍ରୱାଲ ନାମକ ଠିକାଦାର ଏହି କାର୍ଯ୍ୟ କରିଥିଲେ । ହେଲେ ରାସ୍ତା ନିର୍ମାଣ ପୂର୍ବ ରୁ ନାଁ ପରେ ମଧ୍ୟ ସୂଚନା ଫଳକ ନ ଲଗାଇ ଠିକାଦାର କାମ ସାରିଦେଲେ ।
କାମ ସରିବା ର ୨ ରୁ ୩ ମାସ ମଧ୍ୟରେ ରାସ୍ତାର ଅବସ୍ଥା ଯିଏ ନ ଦେଖୁଛି ବିଶ୍ୱାସ କରି ପାରିବ ନାହିଁ । ରାସ୍ତାରେ ମାଟି ମୋରମ ଦେଇ ଅଳ୍ପ ଅଳ୍ପ ପିଚୁ ଲେପ ଦେଲାଭଳି କରି କାମ ସାରି ଦେଇଛନ୍ତି । ଯାହା ଫଳରେ ରାସ୍ତା ଫାଟି ଆଁ କରି ଗର୍ତ୍ତ ସୃଷ୍ଟି ହୋଇଛି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ପାଣିରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଆମ ସମ୍ବାଦଦାତା ଏ ବାବଦରେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ । ଏମିତିକି ରାସ୍ତା ର ତଥ୍ୟ ମଧ୍ୟ ମିଳିବାରେ କଷ୍ଟ ସାଧିତ ହୋଇଥିଲା । ବିଭାଗୀୟ ଉପରିସ୍ଥ ଅଧିକାରୀ ତଥା ରାଜ୍ୟ ସରକାର ଏହି ନିମ୍ନମାନର ରାସ୍ତା ନିର୍ମାଣ ପ୍ରତି ଧ୍ୟାନ ଦେଇ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ପ୍ରଥମେ କେନାଲ ଓ ଡ୍ୟାମ୍ ମରାମତି ନାଁରେ ବ୍ୟାପକ ଦୁର୍ନୀତି କରିଥିବା କ୍ଷୁଦ୍ର ଜଳ ସେଚନ ବିଭାଗ ଏବେ ଚାନ୍ଦୋପଲା ଧରମାସାଗର ପିଚୁ ରାସ୍ତାରେ ବ୍ୟାପକ ଦୁର୍ନୀତି କରି ଠିକାଦାର ଓ ଯନ୍ତ୍ରୀ ମାଳେମାଲେ ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଦୋଷୀ ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି ।
Comments are closed.