ପୁରୀ: ବେଧଡକରେ କରୁଥିଲେ ଧଳା ଜହର ବ୍ୟବସାୟ । ଆଇନକୁ ଆଖିଠାର ମାରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ । ଆଉ ପୋଲିସ ଜାଣିବା ପରେ ଆକ୍ସନ ନେଇଛି । ପୁରୀ ଜିଲ୍ଲାରେ ଏମିତି ଘଟଣା ଘଟିଛି । ଚନ୍ଦନପୁର ପୋଲିସ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ସୂଚନା ମିଳିଛି । ଚନ୍ଦନପୁର ଭାଇଲିପୁଟ ନିକଟ ଜଗନ୍ନାଥ ସଡକରେ ୩ଜଣ ବ୍ରାଉନସୁଗର ବେପାର କରୁଥିଲେ। ପୋଲିସ ଏହି ଖବର ପାଇବା ପରେ ଅଚାନକ ଚଢାଉ କରିଥିଲା ।
ଆଉ ସେମାନେ ଖସିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନଥିଲେ । ପୋଲିସ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୫୭ ଗ୍ରାମର ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ୧ଲକ୍ଷ ୬୩ ହଜାର ୫୨୦ ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ ଓ ନିରଞ୍ଜନ ପରିଡା । ଏମାନଙ୍କଠାର ମୋଟର ସାଇକେଲ, ତିନୋଟି ଫୋନ ଓ ଛୁରୀ ଜବତ ହୋଇଛି।
ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ବିଭିନ୍ନ ସ୍ଥାନରେ ଅଭିଯୁକ୍ତମାନେ ବ୍ୟବସାୟ କରୁଥିଲେ। ବିଶେଷ କରି ଯୁବପୀଢୀ ଏହି ନିଶା ଖାଇ ଉତ୍ପାତ କରୁଥିଲେ। ତେବେ ପୁରୀ ଜିଲ୍ଲାକୁ ସମ୍ପୁର୍ଣ୍ଣ ବ୍ରାଉନସୁଗର ମୁକ୍ତ କରିବା ପାଇଁ ପୋଲିସ ପକ୍ଷ ରୁ ଅଭିଯାନ ଚାଲିଛି। ଆଉ ଏହି ଅଭିଯାନ ଏମିତି ଜାରି ରହିବ ବୋଲି ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
Comments are closed.