Latest Odisha News

BREAKING NEWS

‘ସେପ୍ଟେମ୍ବରରେ ଚାଷୀଙ୍କୁ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଯୋଗାଇ ଦିଆଯିବ’

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଚାଷୀମାନଙ୍କୁ ଯୋଗାଇ ଦିଆଯିବ ।

ଏହି ସମସ୍ତ ସାର ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀମାନଙ୍କୁ ମିଳିବ । ଶତ ପ୍ରତିଶତ ଅର୍ଥାତ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡ୍ ଜରିଆରେ କେବଳ ବଣ୍ଟନ ହେବ । ଏହା ଦ୍ଵାରା ଚାଷୀମାନେ ୟୁରିଆ ସାର ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସରକାର ଶୃଙ୍ଖଳିତ ସାର ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ଵ ଦେଉଛନ୍ତି ବୋଲି ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ।

ଆସନ୍ତା ଖରିଫ୍ ଋତୁ ପୂର୍ବରୁ ମାର୍କଫେଡ୍‌ ଅଧୀନରେ ଥିବା ଗୋଦାମର କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାକ୍ସ / ଲାମ୍ପସଠାରୁ ସୂଚନା ଆଣି ଆବଶ୍ୟକତା ଅନୁସାରେ ଆଗୁଆ ସାର ମହଜୁଦ ରଖିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ନାୟକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.