Latest Odisha News

BREAKING NEWS

Dehradun Cloudburst: ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍ ଭ୍ୟାଲି ଏବଂ ଉତ୍ତରାଖଣ୍ଡ ଡେଣ୍ଟାଲ୍ କଲେଜ ନିକଟରେ ଘଟିଛି, ଯାହା ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ଆସିଛି ବନ୍ୟା। ରାସ୍ତା ଉପରେ ଲହଡ଼ି ମାରୁଛି ବନ୍ୟା ଜଳ।

ବାଦଲଫଟା ବର୍ଷା ଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି। ନଦୀରେ ଫସିଥିବା ତିନିଜଣଙ୍କୁ ଏସଡିଆରଏଫ ଟିମ୍‌ ଉଦ୍ଧାର କରିଛନ୍ତି। ଏଥିସହ ଗାଡ଼ିମଟର ମଧ୍ୟ ଫସି ରହିଛି। ଡେରାଡୁନର ପ୍ରାଚୀନ ତପକେଶ୍ୱର ମହାଦେବ ମନ୍ଦିର ନିକଟରେ ବଡ଼ ବନ୍ୟା ଆସିଛି। ସନ୍ତୋଷୀ ମନ୍ଦିରରୁ ତପକେଶ୍ୱରକୁ ସଂଯୋଗ କରୁଥିବା ସେତୁ ଭାସିଯାଇଥିବା ଦେଖିବାକୁ ମିଳିଛି। କେଭି ବୀରପୁର ଓ ସେନା କ୍ଷେତ୍ରର ପଛ ଭାଗ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଛି। ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟ ନିକଟ ପୋଲ ରାସ୍ତା ଧୋଇଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏନଡିଆରଏଫ୍ ଓ ଏସ୍‌ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି, “ଡେରାଡୁନ ଏବଂ ମସୁରୀର ସହସ୍ତ୍ରଧାର ଏବଂ ମାଲ ଦେବତାରୁ ମଧ୍ୟ କ୍ଷୟକ୍ଷତିର ରିପୋର୍ଟ ମିଳିଛି। ଡେରାଡୁନରେ ଦୁଇରୁ ତିନି ଜଣ ନିଖୋଜ ଥିବା ଜଣାପଡ଼ିଛି। ମସୁରୀରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ଦଳଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୩୦୦ରୁ ୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଗତକାଲି ବିଳମ୍ବିତ ରାତିରେ ଡେରାଡୁନର ସହସ୍ତ୍ରଧାରରେ ପ୍ରବଳ ବର୍ଷା ଯୋଗୁଁ କିଛି ଦୋକାନ କ୍ଷତିଗ୍ରସ୍ତ ହେବା ବିଷୟରେ ଦୁଃଖଦ ଖବର ଆସିଛି। ଜିଲ୍ଲା ପ୍ରଶାସନ, SDRF ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି, “ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛି। ସମସ୍ତଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

Comments are closed.