ଭୁବନେଶ୍ବର: ଘୂର୍ଣ୍ଣିବଳୟ ”ମନ୍ଥା” ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ରସ୍ତୁତି ବ୍ୟବସ୍ଥା ତ୍ୱରାନ୍ୱିତ କରିଛି । ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ”ମନ୍ଥା”କୁ ଦୃଷ୍ଟିରେ ରଖି ଜରୁରୀକାଳୀନ କାର୍ଯ୍ୟରେ ଥିବା ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛି ଗୃହ ଓ ନଗରଉନ୍ନୟନ ବିଭାଗ ।
ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସମସ୍ତ ଅଧିକାରୀଙ୍କୁ ସେମାନଙ୍କ ଷ୍ଟେସନ ନ’ଛାଡିବାକୁ ଏବଂ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ପ୍ରଭାବୀ ଘୂର୍ଣ୍ଣିବଳୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛି । ଏ ନେଇ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର ଓ ମୁନିସିପାଲିଟି ଏବଂ ଏନ୍ ଏ ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖି ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି l
ସହରାଞ୍ଚଳର ସମସ୍ତ ଜଳାବଦ୍ଧ ଅଞ୍ଚଳ ଚିହ୍ନଟ ଓ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟ ରଖାଯାଇଥିବା ବେଳେ ରନ୍ଧାଯାଇଥିବା ଖାଦ୍ୟ ଓ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହ ଡିଜି ସେଟ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣର ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। ସମସ୍ତ ୟୁଏଲବି କୁ ହାଇ ଆଲର୍ଟରେ ରହିବାକୁ ଏବଂ ତୁରନ୍ତ ପ୍ରତିଷେଧକ ଓ ରିଲିଫ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି l ବିଭାଗ ପରିସ୍ଥିତିର ନିରନ୍ତର ତଦାରଖ କରିବା ସହ ଠିକ୍ ସମୟରେ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ସହ ସମନ୍ୱୟ ରକ୍ଷା କରୁଛି ।
Comments are closed.