ନୂଆପଡ଼ା: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୂଆପଡ଼ା କୋମନା ଥାନାରେ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କଲେ କୋମନାର ଆଦିବାସୀ ଯୁବକ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସ୍କୁ ଡାକି କାହିଁକି ବିଜେଡି ଛାଡ଼ି ବିଜେପିରେ ବୁଲୁଛି କହି ଧମକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପିଟିଥିବା ନେଇ ଏତଲାରେ ଉଲ୍ଲେଖ ରହିଛି ।
ଏହା ବ୍ୟତୀତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ କୋମନା ଥାନା ଆଇଆଇସି ଓ ଖରିଆର ଏସଡିପିଓ ଫାର୍ମହାଉସରୁ ଉଦ୍ଧାର କରିଥିବା କହିଛନ୍ତି ଯୁବକ ଜଣକ । ପୋଲିସ ଉଦ୍ଧାର କରିନଥିଲେ ଜୀବନ ପାଇ ପାରିନଥାନ୍ତି ବୋଲି ଅଭିଯୋଗକାରୀ ଯୁବକ କହିଛନ୍ତି ।
କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଏହି ଘଟଣାରେ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Comments are closed.