ଭୁବନେଶ୍ୱର: ବିଜେଡିକୁ ପୁଣି ଟାର୍ଗେଟ କରି ଚର୍ଚ୍ଚାରେ ନେତ୍ରୀ ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି । ସେ ଏହି କମେଣ୍ଟ ସେତିକି ବେଳେ କରିଛନ୍ତି ଯେତବେଳେ କି ନବୀନ ନୂଆପଡ଼ା ଗସ୍ତ କରିବାକୁ ବାହାରିଛନ୍ତି । ତାଙ୍କର ଏହି ପୋଷ୍ଟ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।
ଏହା ସହ ସେ ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନ୍ଙ୍କୁ ତେରଛା ବାଣ ମାରିଛନ୍ତି । ସେ କହିଛନ୍ତି ଶୁଣିବାକୁ ମିଳୁଛି ଶକ୍ତିନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି। ଦଳରେ ମିଶି ରାଜ୍ୟସଭା ଯିବାକୁ ଶକ୍ତି ଗୋଟାଉଛନ୍ତି । ଏଣ୍ଟ୍ରି ହୋଇଗଲେ ପୁଣି ନୂଆ ସମୀକରଣ ହେବ । ଜାମସେଦପୁର ପାଣି ପବନରେ ଯିଏ ବଢିଛି, ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବ । ଇଲେକ୍ସନ୍ କମିଶନ ବେଡି ପକାଇଥିଲେ, ଏବେ ନୂଆ ପରିଚୟ ଅପେକ୍ଷାରେ ରହିଛନ୍ତି ।
ଶ୍ରୀମୟୀ ଆହୁରି କହିଛନ୍ତି, ଶକ୍ତିନାନୀଙ୍କ ଚାଟଶାଳାରେ ବରିଷ୍ଠ ନେତା ଟ୍ୟୁସନ୍ ହେବାର ରାଜ୍ୟବାସୀ ଦେଖିଲେ । ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ତାହା ଦେଖାଯାଉ । ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କରାଉଛି କିଏ ?
ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି, ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରିଆସେ। ଏହା ପ୍ରକୃତିର ନିୟମ । ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ଟିକେ ନିଜର ବିବେକକୁ ପଚାରନ୍ତୁ, ସେମାନେ କ’ଣ ଆଇନରୁ ଊର୍ଦ୍ଧ୍ବରେ କି ବୋଲି ଶ୍ରୀମୟୀ ମିଶ୍ର ପ୍ରଶ୍ନ କରିଛନ୍ତି ।
Comments are closed.