Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିଛନ୍ତି। ଡିସେମ୍ବର ୬ ତାରିଖ ଅର୍ଥାତ୍ ଶନିବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।

ଯେଉଁଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ଓ ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ତଦନ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି। ଏଥିସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଉ ଓ ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଉ ବୋଲି ଯାତ୍ରୀମାନେ କହିଥିଲେ।

ହଠାତ୍ ଏପରି ବିମାନ ବାତିଲ ହେବା ଦ୍ୱାରା ଯାତ୍ରୀମାନେ କରିଥିବା ହୋଟେଲ ବୁକିଂ, ବିଦେଶ ଯାତ୍ରା ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ବାଧାପ୍ରାପ୍ତ ହୋଇଛି ବୋଲି ସେମାନେ କହିଛନ୍ତି।

ଡିଜିସିଏ ଇଣ୍ଡିଗୋ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛି ଯେ ଇଣ୍ଡିଗୋ ଏହାର ନୂଆ ଡ୍ୟୁଟି ନିୟମ କାର୍ଯ୍ୟକାରୀ କରିବା ଓ ଉପଯୁକ୍ତ କ୍ରୁ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ସମସ୍ତ ଉଡାଣ ବାଧାପ୍ରାପ୍ତ ହୋଇଥିଲା।

ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଇଣ୍ଡିଗୋର ଖରାପ କ୍ରୁ ପରିଚାଳନା ଏବଂ ଡିଜିସିଏ ନିୟମାବଳୀର ଭୁଲ ପରିଚାଳନା ଯୋଗୁଁ ଇଣ୍ଡିଗୋ ବର୍ତ୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେଉଛି। କେଉଁଠାରେ ଭୁଲ୍ ରହିଛି ଓ ଏପରି ପରିସ୍ଥିତି ପାଇଁ କିଏ ଦାୟୀ ଏହାର ତଦନ୍ତ କରାଯିବ ଉଚିତ୍ ଓ ଦୋଷୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।ତେବେ ମନ୍ତ୍ରଣାଳୟ ଇଣ୍ଡିଗୋ ବିମାନ କମ୍ପାନୀକୁ ଧୀରେ ଧୀରେ ଏହାର ସେବା ପୁନର୍ବାର ଆରମ୍ଭ କରିବାରେ ସାହାଯ୍ୟ କରିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ତେବେ ଡିସେମ୍ବର ୬ ତାରିଖ ଶନିବାର ସକାଳ ପର୍ଯ୍ୟନ୍ତ ଅନେକ ବିମାନବନ୍ଦରରେ ଉଡ଼ାଣ ବାତିଲ କରାଯାଇଛି। ସେଥିମଧ୍ୟରେ କେରଳର ତିରୁବନନ୍ତପୁରମ ବିମାନବନ୍ଦରର ୩ଟି ଘରୋଇ ବିମାନ ଆଗମନ ଏବଂ ୩ଟି ପ୍ରସ୍ଥାନ ବିମାନ ବାତିଲ୍ କରାଯାଇଛି। ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ୧୨ଟା ରାତିରୁ ୬ଟା ମଧ୍ୟରେ ୭ଟି ଆଗମନ ଏବଂ ୧୨ଟି ପ୍ରସ୍ଥାନ ବିମାନ ବାତିଲ୍ କରାଯାଇଛି। ତାମିଲନାଡୁର ଚେନ୍ନାଇ ବିମାନବନ୍ଦରରେ ସକାଳ ୯ଟା ସୁଦ୍ଧା ମୋଟ ୨୯ଟି ଉଡ଼ାଣ ବାତିଲ୍ କରାଯାଇଥିବା ସୂଚନା ମିଳିଛି।

ଏଥିସହିତ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ହବରେ ମଧ୍ୟ ଅନେକ ଇଣ୍ଡିଗୋ ବିମାନ ଉଡ଼ାଣ ବିଳମ୍ବ କରାଯାଉଛି। ଦିଲ୍ଲୀ ବିମାନବନ୍ଦରରେ ପରିସ୍ଥିତି ସ୍ବାଭାବିକ ଥିଲେ ମଧ୍ୟ ଡିସେମ୍ବର ୧୦-୧୫ ତାରିଖ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବା ନେଇ ବିମାନ କମ୍ପାନୀ ତରଫରୁ କୁହାଯାଇଛି।

 

Leave A Reply

Your email address will not be published.