କରାଚି: ପାକିସ୍ତାନ ସଂସଦରେ ଲାଇଭ୍ ଅଧିବେଶନ ସମୟରେ ହଠାତ୍ ଏକ ଗଧ ସେନେଟରେ ପ୍ରବେଶ କରି ଯାଇଥିଲା।ଏହାପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଗଧଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଧଟି ବାହାରିବା ପରିବର୍ତ୍ତେ ଭିତରକୁ ଦୌଡ଼ିବାରୁ ଅନେକ ସାଂସଦଙ୍କ ସହିତ ଧକ୍କା ହୋଇଯାଇଥିଲା। ଏହି ସମଗ୍ର ଘଟଣା କ୍ୟାମେରାରେ କଏଦ ହୋଇଥିଲା ବେଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି।
ତେବେ ସିନେଟ୍ ଅଧ୍ୟକ୍ଷ ୟୁସୁଫ୍ ରାଜା ଗିଲାନି ଏହି ଘଟଣାକୁ ନେଇ ମଜାଳିଆ ଅନ୍ଦାଜରେ କହିଥିଲେ ଯେ ଜୀବଜନ୍ତୁମାନେ ମଧ୍ୟ ଚାହାଁନ୍ତି ଯେ ସେମାନଙ୍କର ମତ ଆମ ଆଇନରେ ଅନ୍ତର୍ଭୁକ୍ତ ହେଉ। ଯାହାପରେ ଗୃହରେ ଥିବା ସମସ୍ତ ସଦସ୍ୟ କରତାଳି ଦେଇ ହସିଥିଲେ।
ପଶୁଟି କିପରି ସଂସଦ ପରିସରରେ ପହଞ୍ଚିଥିଲା ତାହା ଜାଣିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗଧଙ୍କ ସଂସଦରେ ଆଉ ଏକ ଗଧ ପ୍ରବେଶ କରିଥିବା ନେଇ ଜଣେ ୟୁଜର ଲେଖିଥିବା ବେଳେ ଗଧଟି ନିଜ ଲୋକଙ୍କ ମଧ୍ୟରେ ଯାଇ ପରିବାର କିମ୍ବା ବନ୍ଧୁମାନଙ୍କୁ ଭେଟିବାକୁ ଯାଇଛି। ଗଧ ନିଜ ସିଟରେ ଅନ୍ୟ ଜଣକୁ ଦେଖି ରାଗି ଯାଇଥିବା ନେଇ ଅନ୍ୟ ଜଣେ ୟୁଜର ଥଟା କରିଛନ୍ତି।
ତେବେ ଏପରି ଘଟଣା ପ୍ରଥମ ଥର ପାଇଁ ନୁହେଁ। ପୂର୍ବରୁ ୨୦୨୩ ମସିହାରେ ଏକ ବୁଲା କୁକୁର ମଧ୍ୟ ସଂସଦ ଭବନରେ ପ୍ରବେଶ କରିଥିଲା। ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଭଳି ସ୍ଥାନରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।