ଢେଙ୍କାନାଳ: ହାଇୱା-କାର୍ ମୁହାଁମୁହିଁ ଧକ୍କା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ସ୍ବାମୀ ସ୍ତ୍ରୀ ହେଲେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ପତ୍ନୀ ଇତିଶ୍ରୀ ପଟ୍ଟନାୟକ ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ନିକଟରେ ।
ଉଭୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ ଓ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସାମ୍ବାଦିକ ଦେବବ୍ରତଙ୍କ ଛାତି, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ, ପତ୍ନୀ ଇତିଶ୍ରୀଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗିଯାଇଛି । ତାଙ୍କ ପୁଅ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶନିବାର ନିଜ କାର ଯୋଗେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ଫେରୁଥିବାବେଳେ, ଢେଙ୍କାନାଳ ରାସ୍ତାରେ ଗେଙ୍ଗୁଟିଆ ନିକଟରେ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା ।