ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି । ଦଳୀୟ ନେତୃତ୍ବ ସେମାନଙ୍କ କଥା ନିଶ୍ଚିୟ ଶୁଣିବେ ।
ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ’ଣ ଆବଶ୍ୟକତା ଥିଲା । କାରଣ ସେ ଦଳରେ ରହିବାକୁ ଚାହୁଁ ନଥିଲେ ।ଆପଣ ଯଦି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଏ କ’ଣ କରିପାରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କ’ଣ ଜାଣନ୍ତି ବୋଲି ପ୍ରଶ୍ନ କଲେ ଭକ୍ତ । ରାହୁଲ ଗାନ୍ଧି ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ । ଏହା କ’ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ୍ କରିବେ ? ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କଲେ ଭକ୍ତ । ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ, ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ସମର୍ଥନରେ ବାହାରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସରେ ମୋକିମଙ୍କ ଭଳି ଅନେକ ନେତାଙ୍କର ଆବଶ୍ୟକତା ଅଛି । ନେତାଙ୍କ ମନରୁ ଅସନ୍ତୋଷ ଦୂର କରିବା ଦଳର କର୍ତ୍ତବ୍ୟ । କଂଗ୍ରେସ ଏବେ ରାଜ୍ୟରେ ଦୁର୍ବଳ ଅଛି । ଶକ୍ତିଶାଳୀ କରିବାକୁ ଉଦ୍ୟମ କରନ୍ତୁ ନେତା ।