ମୁମ୍ବାଇ: ଡିସେମ୍ବର ୫ରେ ମୁକ୍ତିଲାଭ କରିଥିବା ରଣବୀର ସିଂହଙ୍କ ଅଭିନୀତ ଓ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ ଥ୍ରୀଲର ଫିଲ୍ମ ‘ଧୁରନ୍ଧର’ ବଲିଉଡର ଅନେକ ଫିଲ୍ମକୁ ପଛରେ ପକାଇ ୧୦୦୦ କୋଟି କ୍ଲବରେ ସାମିଲ ହୋଇସାରିଛି।
ତେବେ ଚଳଚ୍ଚିତ୍ରଟିର କମ୍ ପ୍ରଚାର ସତ୍ୱେ ମଧ୍ୟ ଏହା ୨୦୨୫ର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଛି। ତେବେ ମୁକ୍ତିଲାଭ କରିବାର ମାତ୍ର ୨୧ଦିନ ମଧ୍ୟରେ ହିଁ ଏହା ୧୦୦୦ କୋଟି କ୍ଲବରେ ସାମିଲ ହୋଇସାରିଥିବା ସୂଚନା ମିଳିଛି। ତେବେ ଜାଣନ୍ତୁ ଆଉ କେଉଁ ଫିଲ୍ମ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି।
ଏହା ପୂର୍ବରୁ ୨୦୧୭ରେ ଏସଏସ ରାଜମୌଲିଙ୍କ ବାହୁବଳୀ ୨: ଦି କନକ୍ଲୁଜନ ରିଲିଜ୍ ହୋଇଥିଲା। ଯାହାକି ବିଶ୍ୱବ୍ୟାପୀ ୧୭୮୮.୦୬ କୋଟି ଆୟ କରି ୧୦୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏପରି କରିଥିବା ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା। ତେବେ ୨୦୧୬ରେ ଦଙ୍ଗଲ୍ ମେ ମାସରେ ଚୀନରେ ମୁକ୍ତିଲାଭ କରିଥିଲା ଓ ମୋଟ ୨୦୭୦ କୋଟି ଆୟ ସହିତ ୨୦୦୦ କୋଟି କ୍ଲବରେ ପ୍ରବେଶ କରିଥିବା ଏକ ମାତ୍ର ଚଳଚ୍ଚିତ୍ର ହୋଇଥିଲା। ବର୍ତ୍ତମାନ ମଧ୍ୟ ଆମିର ଖାନ ଏବଂ ନିତେଶ ତିୱାରୀଙ୍କ ଏହି ଫିଲ୍ମ ଦଙ୍ଗଲ୍ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ରରେ ସାମିଲ ରହିଛି।
୧୦୦୦ କୋଟି କ୍ଲବରେ ଆହୁରି ମଧ୍ୟ ଅନେକ ଫିଲ୍ମ ସାମିଲ ଅଛି। ଯେଉଁଥିରେ ୨୦୨୨ରେ ମୁକ୍ତିଲାଭ କରିଥିବା ରାଜାମୌଲିଙ୍କ RRR ମଧ୍ୟ ସାମିଲ ଅଛି। ଯାହାକି ୧୨୩୦ କୋଟି ଆୟ କରିଥିଲା। ଏଥିସହିତ ପ୍ରଶାନ୍ତ ନୀଲଙ୍କ କେଜିଏଫ୍ ୨ ମଧ୍ୟ ୧୨୧୫ କୋଟି ଆୟ କରିଥିଲା। ଏହା ବ୍ୟତୀତ ୨୦୨୩ରେ ମୁକ୍ତିଲାଭ କରିଥିବା ଆଟଲିଙ୍କ ‘ଜବାନ’ ଚଳଚ୍ଚିତ୍ର ୧୧୬୦ କୋଟି ଆୟ କରିଥିବା ବେଳେ ସିଦ୍ଧାର୍ଥ ଆନନ୍ଦଙ୍କ ପଠାଣ ମଧ୍ୟ ୧୦୫୫ କୋଟି ଟଙ୍କା ଆୟ କରିଥିଲା।
ଏଥିସହିତ ୨୦୨୪ରେ ମୁକ୍ତିଲାଭ କରିଥିବା ନାଗ ଅଶ୍ୱିନଙ୍କ କଳକି ୨୮୯୮AD ମଧ୍ୟ ବିଶ୍ୱରେ ୧୦୪୨.୨୫ କୋଟି ଆୟ କରିଥିଲା। ବର୍ତ୍ତମାନ ୨୦୨୫ ଶେଷ ହେବା ସହ ଧୁରନ୍ଧର ଫିଲ୍ମ ମଧ୍ୟ ୧୦୦୬.୭ କୋଟି ଆୟ କରିସାରିଛି। ତେବେ ଏହା ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଆଗକୁ କେତେ ଟଙ୍କାର ବ୍ୟବସାୟ କରିପାରୁଛି।