ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଅପ୍ରାପ୍ତବୟସ୍କରେ ବାଘୁଣୀ ‘ଜୟଶ୍ରୀ’ ପୁଣି ମାଆ ହୋଇଛି । ଶନିବାର ୩ଟି ଶାବକ ଜନ୍ମ ଦେଇଛି ‘ଜୟଶ୍ରୀ’ । ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଛି ।
ତେବେ ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ରାତିରେ ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ମାଧ୍ୟମରେ ତା’ଉପରେ ନଜର ରଖାଯାଇଛି । ମାତ୍ର ୩୪ ମାସ ବୟସରେ ମା’ ହୋଇଛି ବାଘୁଣୀ ଜୟଶ୍ରୀ । ଯେଉଁ କାରଣରୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇ ପାରିନି, ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ୟ କରାଇ ପାରିନାହିଁ । ଯାହା ଫଳରେ ପ୍ରଥମ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ବାଘୁଣୀ ‘ଅଙ୍କିତା’ ଓ ବାଘ ‘ନନ୍ଦନ’ ଔରସରୁ ୨୦୨୩ରେ ଜନ୍ମ ହେଇଥିଲା ଜୟଶ୍ରୀ । କିଛିଦିନ ତଳେ ‘ଜୟଶ୍ରୀ’ ମାଆ ହେବ ବୋଲି ଜଣାପଡ଼ିଥିଲା । ତେଣୁ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଏକ ସ୍ୱତନ୍ତ୍ର ଖୁଆଡ଼ରେ ରଖାଯାଇଥିଲା ।