ସମ୍ବଲପୁର:ସମ୍ବଲପୁର ସହରର ଏକ ଦାମୀ ହୋଟେଲରେ ଜୁଆ ଖେଳର ପର୍ଦ୍ଦାଫାସ । ଭିଏସ୍ଏସ୍ ମାର୍ଗର ଏକ ହୋଟେଲ୍ରେ ଚାଲିଥିବା ଜୁଆ ଖେଳ ବେଳେ ଧନୁପାଲି ପୋଲିସର ରେଡ୍ । ଜୁଆ ରେଡ୍ ବେଳେ ପାଇଖାନା ଫ୍ଲସରେ କିଛି ଟଙ୍କା ପକାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ସୂଚନାମୁତାବକ, ଆଜି ଅପରାହ୍ଣରେ ହୋଟେଲ୍ ‘ଉପହାର ପ୍ୟାଲେସ୍’ରେ ଜୁଆଖେଳ ଚାଲିଥିଲା । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ପୁଳାପୁଳା ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଛି।
ଏସ୍ଡିପିଓ ତୋଫାନ ବାଗ କହିଛନ୍ତି, ଏସ୍ପିଙ୍କ ନିର୍ଦ୍ଦେଶରେ ଧନୁପାଲି ପୋଲିସ ଥାନା ଆଇଆଇସି ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଟିମ୍ ଚଢ଼ଉ କରିଥିଲା। ରୁମ ନମ୍ବର ୧୦୫ରେ ଜୁଆ ଖେଳ ଚାଲିଥିଲା ।ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଗଣତି ପରେ କେତେ ଟଙ୍କା ଜଣାପଡ଼ିବ। ଏହି ମାମଲାରେ ୯ଜଣ ଅଟକ ରଖାଯାଇଛି । ଅଭିଯୁକ୍ତ ସମସ୍ତେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ମଧ୍ୟ ଜୁଆ ଖେଳ ସହିତ ସଂପୃକ୍ତ ଥିଲେ। ହୋଟେଲ ମାଲିକ ଏହା ସହିତ ସଂପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ପରେ ଜଣାପଡ଼ିବ।