ଭୁବନେଶ୍ୱର: ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ।
ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ସ୍ବର୍ଣ୍ଣ ବିଜେତା ମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍ ପ୍ରାଇଜ ଓ ମାନପତ୍ର ଦିଆଯାଇଥିଲା ।
ସେ ପୁଣି କହିଥିଲେ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଦକ୍ଷତା ଜରୁରୀ ଆବଶ୍ୟକ । ଆମର ମୂଳଲକ୍ଷ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା । ଆମର ଯୁବବର୍ଗ ଯେତେ ପରିମାଣରେ ଦକ୍ଷ ହେବେ, ଆତ୍ମବିଶ୍ବାସୀ ହେବେ, ସେମାନେ ନିଜର ଭବିଷ୍ୟତକୁ ଉଜ୍ଜ୍ବଳ କରି ଗଢି ପାରିବେ । ଯାହା ୨୦୩୬ ସମୃଦ୍ଧ ଓଡିଶା ଏବଂ ୨୦୪୭ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିପାରିବ । ଯୁବବର୍ଗଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ, ଓଡିଶାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଶିଳ୍ପାୟନ ଲକ୍ଷ୍ୟର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି- ଭିତ୍ତିଭୂମି, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଦକ୍ଷତା । ଏ ସବୁ କ୍ଷେତ୍ରକୁ ସୁଦୃଢ଼ କରି ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋ-ସିଷ୍ଟମକୁ ଶ୍ରେଷ୍ଠ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଗତ ୧୮ ମାସ ମଧ୍ୟରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ ।
ସେ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। କ୍ୟାବିନେଟରେ ଉତ୍କର୍ଷ ITI ସ୍କିମକୁ ଅନୁମୋଦନ କରାଯାଇଛି। ରାଜ୍ୟର ୪୭ଟି ITI କୁ ସେଣ୍ଟର ଅଫ୍ ଏକସେଲନ୍ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇ ପାରିବ ବୋଲି ସେ କହିଥିଲେ । ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ITIରେ AI Laboratory ଖୋଲାଯାଉଛି ।