ପୁରୀ: ଦେଶ ପାଳୁଛି ସୋମନାଥ ସ୍ୱଭିମାନ୍ ପର୍ବ । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଶିବଙ୍କ ଏକ ବିରାଟ ପ୍ରତିକୃତି ବାଲୁକାକଳାରେ ନିର୍ମାଣ କରିବା ସହ ଅନେକ ଶିବଲିଙ୍ଗ ମଧ୍ୟ ଗଢିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ସ୍ୱଭିମାନ୍ ପର୍ବରେ ସାମିଲ୍ ହେବାସହ ଅନେକ ଶୈବଭକ୍ତ ମାନେ ମଧ୍ୟ ଏଥିରେ ସାମିଲ ହେବେ । ସୋମନାଥ ମନ୍ଦିରର ଆକ୍ରମଣକୁ ୧୦୦୦ ବର୍ଷ ପୁରିଥିବାରୁ ଏହାର ଐତିହ୍ୟ ପରମ୍ପରାକୁ ପୁର୍ନବାର ଉଦଜୀବିତ କରାଯାଉଛି । ଆକ୍ରମଣରେ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ହୋଇଥିବା ବେଳେ କାହିଁକି ମନ୍ଦିର ଉପରେ ଆକ୍ରମଣ ହୋଇଥିଲା ତାହାକୁ ଜାଣିବାର ଅଧିକାର ଯୁବପିଢ଼ିଙ୍କ ରହିଥିବାରୁ ସୋମନାଥ ସ୍ୱଭିମାନ୍ ପର୍ବ ପାଳନ କରାଯାଉଛି ।
ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଆକର୍ଷଣୀୟ ବାଲୁକାକଳା ପ୍ରାୟ ୫ରୁ ୬ ଫୁଟ୍ ଉଚ୍ଚତା ହୋଇଥିବା ବେଳେ ଏଥିରେ ଓମ୍ ନମଃ ଶିବାୟ ଏବଂ ସୋମନାଥ ସ୍ୱଭିମାନ୍ ପର୍ବ ଲେଖାଯାଇଛି । ତେବେ ପ୍ରଭୁ ଶିବ ବିଶ୍ୱକୁ ଶାନ୍ତି ପ୍ରଦାନ କରିବା ସହ ଦେଶରେ ଲାଗି ରହିଥିବା ହିଂସାକୁ ଦୂରେଇ ଦିଅନ୍ତୁ ବୋଲି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରାଥନା କରିଛନ୍ତି । ଏହି ବାଲୁକାକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।