ଭୁବନେଶ୍ୱର: ପୁଣି ବିଜେଡିକୁ ବାହୁଡିବେକି ଅରବିନ୍ଦ ? ଆଜି ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳିଥିଲା । ବିରାଟ ପଟୁଆରରେ ପାଟକୁରାରୁ ଅରବିନ୍ଦଙ୍କ ଶହ ଶହ ସମର୍ଥକ ଆସିଥିଲେ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମେଳି ବାନ୍ଧି ଆସିଥିଲେ ।
ବ୍ୟାପକ ସମର୍ଥକମାନେ ଭିଡ଼ ଲାଗିଥିବାରୁ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଥିଲେ । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ସମର୍ଥକମାନେ ।
ପରେ, ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ପୁନର୍ବିଚାର କରିବାକୁ ସମୟ ମାଗିଛନ୍ତି, ପୁନର୍ବିଚାର କରାଯିବ କହିଛନ୍ତି ।
ସୂଚନାଯୋଗ୍ୟ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏହାକୁ ନେଇ ପାଟକୁରାବାସୀ ଅସନ୍ତୁଷ୍ଟ ଅଛନ୍ତି ।