ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ଆଠ ଜଣ ବିରୋଧୀ ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଓମ୍ ବିର୍ଲା ସମଗ୍ର ଅଧିବେଶନ ପାଇଁ ଆଠ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି।
ଏହି ସାଂସଦମାନେ ବାଚସ୍ପତିଙ୍କ ଚୌକି ପାଖକୁ ଯାଇ କାଗଜ ଫିଙ୍ଗିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ଗୃହ କାର୍ଯ୍ୟ ଚାଲିପାରିଲା ନାହିଁ। ଯାହା ଫଳରେ ସଂସଦକୁ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀ ପୁଣି ଥରେ ଚୀନ୍ ପ୍ରସଙ୍ଗ ଉଠାଇବା ଆରମ୍ଭ କରିବା ମାତ୍ରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧୀ କହିବାକୁ ଜିଦ୍ ଧରିଥିଲେ କିନ୍ତୁ ତାଙ୍କ ଭାଷଣ ସମାପ୍ତ ହୋଇପାରିଲା ନାହିଁ। ଏପରିକି ହଟ୍ଟଗୋଳ ଯୋଗୁଁ ଗୃହକୁ ଅନେକ ଥର ମୁଲତବୀ ରଖିବାକୁ ପଡିଥିଲା। ଏହି ସମୟରେ ଲୋକସଭାରେ ସାଂସଦମାନେ ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଖଣ୍ଡ ଫିଙ୍ଗିଥିଲେ।
ତେବେ ଅପରାହ୍ନ ୩ଟାରେ ଚତୁର୍ଥ ଥର ପାଇଁ ଲୋକସଭା ପୁନର୍ବାର ଆରମ୍ଭ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କାଗଜ ଫିଙ୍ଗିଥିବା ସାଂସଦମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ଭଏସ୍ ଭୋଟ ଦ୍ୱାରା ଗୃହୀତ କରାଯାଇଥିଲା।
ନିଲମ୍ୱିତ ହୋଇଥିବା ସାଂସଦଙ୍କ ମଧ୍ୟରେ ରହିଛନ୍ତି – ଗୁରୁଜିତ୍ ଅଜଲା, ମାଣିକମ୍ ଟାଗୋର (ତାମିଲନାଡୁର କଂଗ୍ରେସ ସାଂସଦ), ଅମରିନ୍ଦର ସିଂ ରାଜା ଭେଡିଂ, କିରଣ କୁମାର ରେଡ୍ଡୀ, ଡିନ୍ କୁରିଆକୋଜ୍ (କେରଳର କଂଗ୍ରେସ ସାଂସଦ), ଏସ. ଭେଙ୍କଟେସ (ସିପିଏମ ସାଂସଦ), ହିବି ଇଡେନ (କେରଳର କଂଗ୍ରେସ ସାଂସଦ), ପ୍ରଶାନ୍ତ ପାଦୋଲେ ଓ ଥୋମାସ୍।