ଭୁବନେଶ୍ବର: ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମ ଆଇକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପି ବନ୍ଦ ପାଳନ ହେବ । ଏପଟେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ‘ଆମ ବସ୍’ ଡିପୋରେ ତାଲା ପଡିଲା । ଗେଟ୍ରେ ତାଲା ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ବିକ୍ଷୋଭ । ସେହିପରି CPI (M) ଓ CITU ପକ୍ଷରୁ ବିମଳଗଡ଼ ରେଳପଥ ଅବରୋଧ କରାଯାଇଛି ।
ସୂଚନାଥାଉକି, ଭାରତ ବନ୍ଦ ପାଇଁ ଲୋକସେବା ଭବନ କର୍ମଚାରୀ୍ଙ୍କ ପାଇଁ ନିର୍ଦ୍ଦେଶନାମା ଆସିଛି। ସକାଳ ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ଟା ୧୫ରେ ବନ୍ଦ ହେବ ଗେଟ୍ ।
ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏଫ୍, ୟୁଟିୟୁସି, ସେବା ସମେତ ସ୍ଵାଧୀନ ଫେଡେରେଶନମାନଙ୍କ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି ।
ଅନ୍ୟ ସଂଗଠନମାନେ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।
ତେବେ ଖୋଲିବ ସରକାରୀ ଅଫିସ । ଅତ୍ୟାବଶ୍ୟକ ସେବା ଯେପରିକି ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ ସେବା,ସମ୍ବାଦ ସରବରାହ,ଫାୟାର ବ୍ରିଗେଡ୍ ସେଵା ,ଜଳଯୋଗାଣ ସେବା ଜାରି ରହିବ ।
ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ଶ୍ରମିକ ମାନଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛି କଂଗ୍ରେସ । ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।