ମୁମ୍ବାଇ: ଚଳଚ୍ଚିତ୍ର “ଘୁଷଖୋର ପଣ୍ଡତ”ର ଶୀର୍ଷକ ଉପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସେନ୍ସର ବୋର୍ଡ (CBFC) ଏବଂ ଚଳଚ୍ଚିତ୍ରର ପ୍ରଯୋଜକ ନୀରଜ ପାଣ୍ଡେଙ୍କୁ ନୋଟିସ୍ ଜାରି କରିଛନ୍ତି।
ଏଥିସହିତ ଫିଲ୍ମର ଶୀର୍ଷକ ପରିବର୍ତ୍ତନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଶୀର୍ଷକ ସହିତ ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। “ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ କୌଣସି ସମ୍ପ୍ରଦାୟ କିମ୍ବା ସମାଜକୁ ଅପମାନ କରିବା ନୁହେଁ। ଦେଶରେ ପୂର୍ବରୁ ଉତ୍ତେଜନା ରହିଛି। ଏପରି ପରିସ୍ଥିତିରେ ଧର୍ମ ଏବଂ ଜାତି ଉପରେ ଆଧାରିତ ଷ୍ଟେରିଓଟାଇପ୍ ସୃଷ୍ଟି କରିବା ସାର୍ବଜନୀନ ବ୍ୟବସ୍ଥା ଏବଂ ନୀତି ବିରୁଦ୍ଧ ବୋଲି କୋର୍ଟ କହିଛନ୍ତି।
ଚଳଚ୍ଚିତ୍ର ନିର୍ମାତା ଏବଂ ସାମ୍ବାଦିକମାନେ ସମ୍ବିଧାନର ଧାରା ୧୯(୧) (ଏ) ଅନୁଯାୟୀ ପ୍ରଦାନ କରାଯାଇଥିବା ସ୍ୱାଧୀନତାର ସୀମା ବିଷୟରେ ସଚେତନ ହେବା ଉଚିତ ବୋଲି ମଧ୍ୟ କୁହାଯାଇଛି। ଏଥିସହିତ ପ୍ରଯୋଜକମାନେ ଏକ ନୂଆ ନାମ ରଖିବା ଉଚିତ ଏବଂ ଏକ ସତ୍ୟପାଠ ଦାଖଲ କରିବା ଉଚିତ ବୋଲି କୁହାଯାଇଛି।” ଏହି ମାମଲାକୁ ନେଇ ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୯ରେ କରାଯିବ ବୋଲି ସୂଚନା ମିଳିଛି।
“ଘୁଷଖୋର ପଣ୍ଡତ” ଚଳଚ୍ଚିତ୍ରଟି ଘୋଷଣା ହେବା ଦିନ ଠାରୁ ବିବାଦ ଘେରରେ ଫସି ରହିଛି। “ପଣ୍ଡତ” ଶବ୍ଦ ବ୍ୟବହାରକୁ ନେଇ ଅନେକ ବ୍ୟକ୍ତି ଏବଂ ସଂଗଠନ ଆପତ୍ତି ଉଠାଇଛନ୍ତି। ତେବେ ଏନେଇ ବିନୀତ ଜିନ୍ଦଲ ନାମକ ଜଣେ ଓକିଲ ଅଭିଯୋଗ ଦାଖଲ କରିଥିଲେ ଓ ଫିଲ୍ମର ଶୀର୍ଷକ ଏବଂ ପ୍ରଚାର ସାମଗ୍ରୀ ସମ୍ବେଦନଶୀଳ ଏବଂ ମାନହାନିଜନକ ବୋଲି କହିଥିଲେ। ଯାହାପରେ ଏହି ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଯାଇଥିଲା। ଉତ୍ତର ପ୍ରଦେଶର ଲକ୍ଷ୍ନୌ ସମେତ ମଧ୍ୟ ପ୍ରଦେଶର ଇନ୍ଦୋରରେ ଏବଂ ଅନେକ ସହରରେ ଫିଲ୍ମ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା।
ବିବାଦ ବଢ଼ିବା ପରେ ପ୍ରଯୋଜକ ନୀରଜ ପାଣ୍ଡେ ଏକ ସ୍ପଷ୍ଟୀକରଣ ଜାରି କରିଥିଲେ ଓ ଫିଲ୍ମଟି ଏକ କାଳ୍ପନିକ ପୋଲିସ ଡ୍ରାମା, ଏବଂ ‘ପଣ୍ଡତ’ ଶବ୍ଦ କେବଳ ଏକ କାଳ୍ପନିକ ଚରିତ୍ରର ସାଧାରଣ ନାମ ବୋଲି କହିଥିଲେ। ଏହାବ୍ୟତୀତ ଏହା କୌଣସି ଜାତି, ଧର୍ମ କିମ୍ବା ସମ୍ପ୍ରଦାୟକୁ ଆଘାତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ଓ ଏହା ଜଣେ ବ୍ୟକ୍ତିଙ୍କ ନିଷ୍ପତ୍ତି ଏବଂ କାର୍ଯ୍ୟ ଉପରେ ଆଧାରିତ ବୋଲି ସେ କହିଥିଲେ।