ନୂଆଦିଲ୍ଲୀ: ଜଣେ ସ୍ୱାମୀ ଆଉ ତାଙ୍କର ୬ ଜଣ ପତ୍ନୀ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କିନ୍ତୁ ଏବେ ଚର୍ଚ୍ଚା ବିବାହକୁ ନେଇ ନୁହେଁ, ବରଂ ଚର୍ଚ୍ଚା ହେଉଛି ଏକ ବିଶାଳ ପଲଙ୍କକୁ ନେଇ। ନିଜର ୬ ପତ୍ନୀଙ୍କ ସହ ଶୋଇବା ପାଇଁ ଏହି ବ୍ୟକ୍ତିଜଣକ ପ୍ରସ୍ତୁତ କରିଛନ୍ତି ୨୦ ଫୁଟର ଏକ ‘ସୁପର ବେଡ୍’। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
ବ୍ରାଜିଲର ସାଓ ପାଉଲୋରେ ରହୁଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆର୍ଥର ଓ ଉର୍ସୋ। ନିଜର ଅଜବ ଜୀବନଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଗୋଟିଏ ସମୟରେ ତାଙ୍କର ୯ ଜଣ ପତ୍ନୀ ଥିବା ବେଳେ ଏବେ ସେ ୬ ଜଣ ପତ୍ନୀଙ୍କ ସହ ରହୁଛନ୍ତି । କିନ୍ତୁ ସମସ୍ତଙ୍କ ସହ ଏକାଠି ରହିବା ପାଇଁ ସେ ଏବେ କରିଛନ୍ତି ଏକ ନିଆରା ବ୍ୟବସ୍ଥା । ଗୋଟିଏ ଘରେ ଏକାଠି ସବୁ ପତ୍ନୀଙ୍କ ସହ ଶୋଇବା ପାଇଁ ଆର୍ଥର ୨୦ ଫୁଟ୍ ଲମ୍ବ ଏବଂ ୭ ଫୁଟ୍ ଓସାରର ଏକ ପଲଙ୍କ ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ପ୍ରାୟ ୮୦ ରୁ ୮୨ ଲକ୍ଷ ଟଙ୍କା ।
୧୨ ଜଣ କାରିଗର ୧୫ ମାସ ଲାଗି ଏହି ପଲଙ୍କ ତିଆରି କରିଛନ୍ତି ।
ଏହି ବିଶାଳ ପଲଙ୍କକୁ ମଜବୁତ କରିବା ପାଇଁ ଏଥିରେ ପ୍ରାୟ ୯୫୦ଟି ସ୍କ୍ରୁ ଲଗାଯାଇଛି, ଯେପରି ଏହା ଅଧିକ ଓଜନ ସହିପାରିବ। ଆର୍ଥରଙ୍କ କହିବା ଅନୁସାରେ, ପୂର୍ବରୁ ଜାଗା ଅଭାବରୁ ତାଙ୍କୁ କେତେବେଳେ ସୋଫାରେ ତ କେତେବେଳେ ତଳେ ଶୋଇବାକୁ ପଡ଼ୁଥିଲା। କିନ୍ତୁ ଏହି ସୁପର ବେଡ୍ ଆସିବା ପରେ ଏବେ ସମସ୍ତେ ଆରାମରେ ଏକାଠି ଶୋଇପାରୁଛନ୍ତି ।
ଆର୍ଥର ୨୦୨୧ରେ ଚର୍ଚ୍ଚରେ ୯ ଜଣ ମହିଳାଙ୍କୁ ଏକାଠି ବିବାହ କରିଥିଲେ । ପରେ ୪ ଜଣ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇଥିଲା, ଏବଂ ଜଣଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ୬ ଜଣ ପତ୍ନୀଙ୍କ ସହ ସୁଖୀ ଜୀବନ ବିତାଉଛନ୍ତି ଆର୍ଥର । ଇନଷ୍ଟାଗ୍ରାମରେ ପ୍ରାୟ ୨ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ଆର୍ଥର ନିଜ ପତ୍ନୀମାନଙ୍କ ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ତାଙ୍କ ମତରେ ଏହି ବଡ଼ ପଲଙ୍କ ଯୋଗୁଁ ପରିବାରରେ ଆପୋଷ ବୁଝାମଣା ଏବଂ ସମ୍ପର୍କରେ ନିବିଡ଼ତା ବଢ଼ିଛି। ସୋସିଆଲ ମିଡିଆରେ ଏହି ବିଶାଳ ପଲଙ୍କର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ଟଙ୍କା ଥିଲେ ମଣିଷ ନିଜର ସଉକ ପୂରଣ କରିବା ପାଇଁ କଣ ନକରେ ! ହେଲେ ୬ ପତ୍ନୀଙ୍କ ପାଇଁ ଏହି ୮୨ ଲକ୍ଷ ଟଙ୍କାର ପଲଙ୍କ ଏବେ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।