ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଅନୁଷ୍ଠିତ ସୁପର ଏଇଟର ଏକ ମୁକାବିଲାରେ ଆଇଡେନ ମାର୍କରାମଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଦକ୍ଷିଣ ଆଫ୍ରିକା ସହଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ଅପରାଜେୟ ରହି ଦକ୍ଷିଣ ଆଫ୍ରିକା ସେମିଫାଇନାଲର ନିକଟତର ହୋଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୮ ୱିକେଟ ବିନିମୟରେ ୧୭୬ ରନ କରିଥିଲା । ରୋମାରିଓ ଶେଫର୍ଡ ୫୨ ଓ ଜାସନ ହୋଲ୍ଡର ୪୯ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଗୁଡି ୩ଟି ଏବଂ କାଗିସୋ ରାବାଡା ଓ କର୍ଭିନ ବୋଶ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ୧୬.୧ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ମାର୍କରାମ ୮୨ ଓ ର୍ୟାନ ରିକେଲଟେନ ୪୫ ରନ କରି ଅପରାଜିତ ରହିଥିଲେ । କ୍ୱିଂଟନ ଡି କକ ୪୭ ରନ କରି ଆଉଟ ହୋଇଥିଲେ । ଏହି ଏକମାତ୍ର ୱିକେଟଟି ରୋଷ୍ଟନ ଚେଜ ନେଇଥିଲେ । ଦକ୍ଷିଣ ଆଫ୍ରିକା ଜିତିବା ଫଳରେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଛି । ଭାରତ ତାର ବାକିଥିବା ୨ଟି ମ୍ୟାଚରେ ବିଜୟ ହାସଲ କଲେ ସେମିରେ ପ୍ରବେଶ କରିବ । ପ୍ରଭାବୀ ପ୍ରଦର୍ଶନ ପାଇଁ ମାର୍କରାମ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।