ପୁରୀ: ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଅନିଦ୍ରା ରହିଲେ ଶ୍ରୀଜୀଉ । ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଥିବା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪ଟା ୩୦ରେ ପହୁଡ଼ ପଡ଼ିବା ସହ ଦ୍ୱାରଫିଟା ନୀତି ୭ଟାରେ ହୋଇଥିଲା । ଏଥିପାଇଁ ହଜାର ହଜାର ଭକ୍ତ ଭୋର ସମୟରେ ଘଣ୍ଟା ଘଣ୍ଟା ଧରି ଅସମ୍ଭାଳ ଭିଡ଼ରେ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ । ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଶ୍ରୀମନ୍ଦିର ସ୍ୱତ୍ବଲିପି ମୁତାବକ, ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସୂର୍ଯ୍ୟୋଦୟ ପୂର୍ବରୁ ହୋଇଥାଏ । ହେଲେ ଗତ ୨ ଦିନ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତିରେ ବହୁ ବିଳମ୍ବ ହେଉଛି । ଶୁକ୍ରବାର ନୀତି ବହୁଳ ଯୋଗୁଁ ପହୁଡ଼ ଭୋର ୪ଟା ୩୦ରେ ହୋଇଥିବା ବେଳେ ଶନିବାର ପହୁଡ଼ ହୋଇ ନ ଥିଲା । ଶନିବାର ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବିଳମ୍ବିତ ରାତି ୨ଟା ୩୫ରେ ଶେଷ ହୋଇଥିଲା । ନୀତି ବିଳମ୍ବ ଜାରି ରହିବା ସହ ବଡ଼ସିଂହାର ବେଶ ଭୋର ୪ଟା ୩୦ରେ ଶେଷ ହୋଇଥିଲା। ମହାପ୍ରଭୁ ରାତି ସାରା ଅନିଦ୍ରା ହୋଇ ରହିଥିଲେ । ଫଳରେ ରବିବାର ଦ୍ୱାରଫିଟା ନୀତି ନ ହୋଇ ମଙ୍ଗଳ ଆଳତି ସକାଳ ୫ଟା ୫୦ରେ ହୋଇଥିଲା ।