ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରସାର ଭାରତୀ ଓଡ଼ିଶାରେ ବ୍ୟାପକ ରେଡିଓ ଏବଂ ଟେଲିଭିଜନ ପ୍ରସାରଣ ସେବା ଜାରି ରଖିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଓଡ଼ିଶାରେ ଆକାଶବାଣୀର ୨୮ଟି ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ।
ଏଥିମଧ୍ୟରୁ ୧୨ଟି କେନ୍ଦ୍ର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ । ଡିଡି ଓଡ଼ିଆ ହେଉଛି ଓଡ଼ିଶା ପାଇଁ ଏକ ୨୪ ଘଣ୍ଟିଆ ସମର୍ପିତ ଟିଭି ଚ୍ୟାନେଲ । ଦୂରଦର୍ଶନ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଫ୍ରି-ଟୁ-ଏୟାର ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ) ସେବା ପ୍ରଦାନ କରିଥାଏ । ଏହାର ସିଗନାଲ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ସମେତ ଦେଶର ଯେକୌଣସି ସ୍ଥାନରେ ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ଦୂରଦର୍ଶନ ଏବଂ ଆକାଶବାଣୀର ପ୍ରସାରଣ ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ଲାଗି ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ନେଟୱର୍କ ଡେଭଲପମେଣ୍ଟ (ବିଆଇଏନଡି) ନାମକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ସମେତ ସାରା ଦେଶରେ କାର୍ଯ୍ୟକାରୀ ହେଉଛି । ବିଆଇଏନଡି ଯୋଜନାରେ ଓଡ଼ିଶାରେ ମୋଟ୍ ୬ଟି ଏଫଏମ୍ଟ୍ରାନ୍ସମିଟର ସ୍ଥାପନକୁ ମଞ୍ଜୁରି ମିଳିଛି । ଏଥିମଧ୍ୟରୁ ଗୋଟିଏ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପାଇଁ ମଞ୍ଜୁର କରାଯାଇଛି ।
ଡକ୍ଟର ଏଲ. ମୁରୁଗନଙ୍କ ସୂଚନା ମୁତାବକ, ପ୍ରସାର ଭାରତୀ ୨୦୨୪ରେ ନିଜର ଓଟିଟି ପ୍ଲାଟଫର୍ମ “ୱେଭ୍ସ”ର ମଧ୍ୟ ଶୁଭାରମ୍ଭ କରିଥିଲା । ଏହା ଏକ ବହୁମୁଖୀ ଡିଜିଟାଲ ଷ୍ଟ୍ରିମିଂ ଏଗ୍ରିଗେଟର ପ୍ଲାଟଫର୍ମ ଯାହା ଇନଫୋଟେନମେଣ୍ଟ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ । ଏହା ସୂଚନା, ଶିକ୍ଷା ଏବଂ ସଂସ୍କୃତିର ବାର୍ତ୍ତାକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଦୂରଦର୍ଶନ ଏବଂ ଆକାଶବାଣୀ ନେଟୱର୍କର ବିଭିନ୍ନ ଚ୍ୟାନେଲଗୁଡ଼ିକ ମଧ୍ୟ ୱେଭ୍ସ ସହ ଯୋଡ଼ି ହୋଇଛି । ଏହାବ୍ୟତୀତ, ଶ୍ରୋତାମାନେ ମୋବାଇଲ୍ ଫୋନରେ ‘‘ନ୍ୟୁଜ୍ଅନ୍ଏଆଇଆର’’ ଆପ୍ ମାଧ୍ୟମରେ ୨୬୦ରୁ ଅଧିକ ଆକାଶବାଣୀ ଚ୍ୟାନେଲ ମଧ୍ୟ ଶୁଣିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।