ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତା କ’ଣ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ? ୬୬ ବର୍ଷ ବୟସରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭାଇରାଲ ଖବର ପଛର ସତ୍ୟତା କ’ଣ ? ନିଜେ ନୀନା ଗୁପ୍ତା ଏହାକୁ ନେଇ କ’ଣ ପ୍ରତିକ୍ରିୟା ରଖିଛନ୍ତି, ଆସନ୍ତୁ ଜାଣିବା ଏହି ରିପୋର୍ଟରେ…
ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା। ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ନୀନା। ସେଠାରେ ତାଙ୍କର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଦାବି କରିଥିଲେ ଯେ, ନୀନାଙ୍କ ‘ବେବି ବମ୍ପ’ ଦେଖାଯାଉଛି। ଫଳରେ ୬୬ ବର୍ଷ ବୟସରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ତେବେ ଏହି ଗୁଜବ ଉପରୁ ପରଦା ହଟାଇଛନ୍ତି ନିଜେ ଅଭିନେତ୍ରୀ। ଏକ ସାକ୍ଷାତକାରରେ ଏହାକୁ ହସି ହସି ଉଡ଼ାଇ ଦେବା ସହ ସେ କହିଛନ୍ତି, “ମୋତେ ଏବେ ଅସଲ ଜୀବନରେ ‘ବଧାଇ ହୋ’ର ଆବଶ୍ୟକତା ନାହିଁ।” ନୀନା ସ୍ପଷ୍ଟ କରିଛନ୍ତି ଯେ ସେ ଗର୍ଭବତୀ ନୁହନ୍ତି। ସେଦିନ ସେ ପିନ୍ଧିଥିବା ଶାଢ଼ିର କପଡ଼ା ମୋଟା ଥିବାରୁ ଫଟୋରେ ସେମିତି ଦେଖାଯାଉଥିଲା ବୋଲି ସେ ସଫେଇ ଦେଇଛନ୍ତି।
ନୀନା ଗୁପ୍ତା ସବୁବେଳେ ନିଜ ସାହସିକ ନିଷ୍ପତ୍ତି ପାଇଁ ଜଣାଶୁଣା। ୧୯୮୦ ଦଶକରେ ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟର ବିବିଆନ ରିଚାର୍ଡସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଏବଂ ବିନା ବିବାହରେ ମା’ ହେବା ସେ ସମୟରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା। ସମାଜର ସବୁ ବାଧାବିଘ୍ନ ସତ୍ତ୍ୱେ ସେ ନିଜ ଝିଅ ମସାବାଙ୍କୁ ଏକାକୀ ପାଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପରେ ୨୦୦୮ରେ ସେ ବିବେକ ମେହେରାଙ୍କୁ ବିବାହ କରିଥିଲେ।
ତେବେ ନୀନା ଗୁପ୍ତାଙ୍କ ଏହି ସ୍ପଷ୍ଟୀକରଣ ପରେ ସମସ୍ତ ଗୁଜବରେ ଏବେ ବିରାମ ଲାଗିଛି। ତାଙ୍କ ଜୀବନର ପ୍ରତିଟି ନିଷ୍ପତ୍ତି ଆଜି ବି ଅନେକଙ୍କ ପାଇଁ ପ୍ରେରଣା ସାଜିଛି ।