ଭୁବନେଶ୍ବର: ଓଡିଶାର ନୂଆପଡା ଜିଲ୍ଲା ମାଟି ତଳେ ଅଛି ହୀରାର ଭଣ୍ଡାର । ନୂଆପଡା ବ୍ଲକ କାଲମିବାଦରେ ହୀରାପଥର ଥିବା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସେହିପରି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ ଜିଲିଙ୍ଗିବାରରେ ମାଣିକ ଥିବା ମଧ୍ୟ ଚିହ୍ନଟ ହୋଇଛି ।
ହୀରାର ସନ୍ଧାନ ମିଳିବା ପରେ ବୈଷୟିକ ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁସଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି । ହୀରା ମାଣିକ ଚିହ୍ନଟ ହୋଇଥିବା ବେଳେ ମୋତି ଯାଏଁ ଚିହ୍ନଟ ହୋଇନାହିଁ ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ବାବାହୀ ପଥର, ଗ୍ରାଫାଇଟ, ନିକେଲ ସହିତ ସୁନା ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି । ସେହିପରି, କେନ୍ଦୁଝର ବାଂଶପାଳ ବ୍ଲକ ଗୋପୁର ଜଳଡିହି ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି ।