ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରୁ ସୂର୍ଯ୍ୟଙ୍କ ତାହି ଅସହ୍ୟ ହୋଇପଡିଛି । ୪୦ ଡିଗ୍ରୀ ମୁହାଁ ପାରଦ । ଏହାରି ଭିତରେ ଖୁବଶୀଘ୍ର ସକାଳୁଆ ସ୍କୁଲ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଆଗକୁ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ ।
ତେବେ ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ ରହିବ ।