West Asia tension:ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ; ଗ୍ୟାସ-ତେଲ ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଆଜି (ରବିବାର)ସନ୍ଧ୍ୟାରେ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ। ବୈଠକରେ ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ: ପେଟ୍ରୋଲିୟମ୍, ଅଶୋଧିତ ତୈଳ, ବିଦ୍ୟୁତ୍ ଏବଂ ସାର।
ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଦେଶରେ ଏହି ସମସ୍ତ ସାମଗ୍ରୀର ଯୋଗାଣ ବିନା କୌଣସି ବାଧାରେ ଜାରି ରହିବା, ପରିବହନ ବ୍ୟବସ୍ଥା ସୁଗମ ରହିବା ଏବଂ ସାଧାରଣ ଲୋକଙ୍କ ଉପରେ ସର୍ବନିମ୍ନ ପ୍ରଭାବ ପଡ଼ିବା ନିଶ୍ଚିତ କରିବା।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷର ପରିସ୍ଥିତି କ୍ରମାଗତ ଭାବରେ ଗମ୍ଭୀର ହେବାରେ ଲାଗିଛି।
ଭାରତ ସରକାର ଏହି ସମଗ୍ର ଘଟଣା ଉପରେ କଡ଼ା ନଜର ରଖିଛନ୍ତି, କାରଣ ଏହା ଦେଶର ଶକ୍ତି ସୁରକ୍ଷା ଏବଂ ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିବାର ସମ୍ଭାବନା ରଖିଛି। ଭାରତ ନିଜର ଉର୍ଜ୍ଜା ସପ୍ଲାଇ ପାଇଁ ପଶ୍ଚିମ ଏସିଆ ଉପରେ ଅତ୍ୟଧିକ ନିର୍ଭରଶୀଳ, ତେଣୁ ସେଠାରେ ଯେକୌଣସି ସଙ୍କଟ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧର ସବୁଠାରୁ ବଡ଼ ପ୍ରଭାବ ହୋର୍ମୁଜ୍ ପ୍ରଣାଳୀ ଉପରେ ପଡ଼ିଛି । ଇରାନ ଏହି ରାସ୍ତା ବନ୍ଦ କରିଦେଇଛି। ସେଠାରେ ଶହ ଶହ ଜାହାଜ ଅଟକି ରହିଛି । ତେଲ ଯୋଗାଣ ବନ୍ଦ ହୋଇଯାଇଛି। ଫଳସ୍ୱରୂପ – ସାରା ବିଶ୍ୱରେ ତେଲ ମୂଲ୍ୟ ବୃଦ୍ଧି ପାଉଛି । ସୂଚନାଥାଉକି, ଭାରତରେ ଅନେକ ଜାହାଜ ଏବେ ବି ଉପସାଗରରେ ଫସି ରହିଛି ଏବଂ ହୋର୍ମୁଜ୍ ପ୍ରଣାଳୀ ଯେତେ ଅଧିକ ସମୟ ବନ୍ଦ ରହିବ, ଭାରତ ଉପରେ ସେତେ ଅଧିକ ପ୍ରଭାବ ପଡ଼ିବ। ଏହାର ସିଧାସଳଖ ଅର୍ଥ ହେଉଛି ଯେ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇପାରେ। ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବ, ଏବଂ ଏସବୁର ମିଳିତ ଫଳାଫଳ ସବୁକିଛିର ମୂଲ୍ୟ ବୃଦ୍ଧି କରିବ।
ତେଣୁ ଭାରତ ହୋର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନେକ ଦେଶରୁ ତେଲ ଆମଦାନି କରିବା ଆରମ୍ଭ କରିଛି। ରବିବାର ସକାଳେ ଆମେରିକାରୁ ମାଙ୍ଗାଲୁରୁ ବନ୍ଦରରେ ୭୨,୭୦୦ ଟନ୍ ରୁ ଅଧିକ ରନ୍ଧନ ଗ୍ୟାସ ପହଞ୍ଚିଛି ।
ଏହି କାରଣରୁ ଭାରତ ସରକାର ସମ୍ଭାବ୍ୟ ବିକଳ୍ପ ଏବଂ ରଣନୀତି ଉପରେ ପୂର୍ବରୁ ବିଚାର କରୁଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଭାରତୀୟ ନାଗରିକଙ୍କ ସୁରକ୍ଷା, ଆଞ୍ଚଳିକ ସ୍ଥିରତା ଏବଂ ବାଣିଜ୍ୟିକ ସ୍ୱାର୍ଥ ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଭାରତର ସ୍ୱାର୍ଥ ସୁରକ୍ଷିତ ରହିବ ତାହା ନିଶ୍ଚିତ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି।