ଭୁବନେଶ୍ୱର: ରାଜ୍ୟରେ ଶିଶୁ ନିଖୋଜ ହେବା ଘଟଣା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ବିଧାନସଭାରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଲିଖିତ ଉତ୍ତରରୁ ରାଜ୍ୟରେ ଶିଶୁ ନିଖୋଜ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୪ ମସିହାରେ ମୋଟ ୬ ହଜାର ୮୩୮ ଜଣ ଶିଶୁ ନିଖୋଜ ହୋଇଥିଲେ, ଯେଉଁଥିରୁ ୫ ହଜାର ୯୪୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେହିଭଳି ୨୦୨୫ ମସିହାରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୮ ହଜାର ୨୦୬ ରେ ପହଞ୍ଚିଛି । ତେବେ ପୋଲିସ ମାତ୍ର ୬ ହଜାର ୩୬ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ।
ଅନ୍ୟପଟେ, କଟକ ଓ ଭୁବନେଶ୍ୱର ଭଳି ଦୁଇ ପ୍ରମୁଖ ସହରରେ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । କଟକ ସହରରେ ୨୦୨୪ରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୫ରେ ଏହା ୨୪କୁ ବୃଦ୍ଧି ପାଇଛି, ଯାହା ସ୍ଥାନୀୟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସେହିପରି, ଭୁବନେଶ୍ବରରେ ୨୦୨୪ରେ ୪୩ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୫ରେ ଏହା ୩୩କୁ ଖସି ଆସିଥିବା ତଥ୍ୟରେ ଦର୍ଶାଯାଇଛି ।