ପୁରୀ: ଆଜି ଠାରୁ ରତ୍ନଭଣ୍ଡାରର ଗଣତିମଣତି ଆରମ୍ଭ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ କରାଯିବ। ଆଜି ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତି ବିଶେଷ ପ୍ରବେଶ କରିବେ। ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ। ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି ।
ପ୍ରତ୍ୟେକ ସଦସ୍ୟ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଓର)ର ପ୍ରତିଟି ବିନ୍ଦୁକୁ ଗୁରୁତ୍ବପୂର୍ବକ ଏହି ପ୍ରକ୍ରିୟାରେ ସାମିଲ ହେବେ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ ହୋଇଛି। ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହାକୁ ଓଜନ କରାଯିବ। ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ୨ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ଅଳଙ୍କାରର ଡିଜିଟାଲ ଫଟୋଗ୍ରାଫି କରାଯିବ। ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ। ଏଥିପାଇଁ ୬ଟି ସିନ୍ଦୁକ ପ୍ରସ୍ତୁତ କରି ରଖାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ବହୁ ପ୍ରତିକ୍ଷିତ ଗଣନା ଓ ଯାଞ୍ଚ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ। ପ୍ରଥମେ ବାହାର ଭଣ୍ଡାରରେ ଥିବା ଚଳନ୍ତି ଅଳଙ୍କାର ଗଣତି ହେବ। ପରେ ଭିତର ଭଣ୍ଡାରର ଅଳଙ୍କାର ଗଣତି କରାଯିବ। ଶ୍ରୀମନ୍ଦିରର ଯେଉଁଭଳି ଭାବେ ନୀତିକାନ୍ତି ପ୍ରଭାବିତ ହେବନି, ସେନେଇ ଗୁରୁତ୍ବ ଦିଆଯାଇଛି। ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ସୃଷ୍ଟି କରାଯିବ ନାହିଁ।
ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରହିବ। ଗଣତି ମଣତି ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିବ। ଗଣତି ସମୟରେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ। ସାଧାରଣ ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରେ ରହିବେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ ଓ ହାଣ୍ଡେଲିଂ ଟିମ ଭାବେ ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ରହିଛନ୍ତି।