ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ ଆସିଥିବା ସେ ଜଣାଇଛନ୍ତି । ବିଲ୍ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।
ସୂଚନା ଅନୁଯାୟୀ, ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ୩ ଲକ୍ଷ ୪୫ ହଜାର ଟଙ୍କା ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ସେହି ସମୟରେ ବିଭିନ୍ନ ଦିଗରୁ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍କୁ ତୀବ୍ର ବିରୋଧ କରାଯାଇଥିଲା । ପରେ ବିରୋଧ ଓ ଶାସକ ବିଧାୟକ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇଥାନ୍ତେ । କ୍ୟାବିନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବାର ଥିଲା । ତିନି ଗୁଣା ବଢିଥିଲା ଦରମା । ଦେଶର ଅନ୍ୟ ବିଧାୟକଙ୍କ ତୁଳନାରେ ସବୁଠୁ ଅଧିକ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଲା । ଏହାପରେ ସବୁ ଦଳ ତରଫରୁ ବିଲକୁ ଫେରାଇ ନେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଆଜି ସେହି ବିଲ୍ ପ୍ରତ୍ୟାହୃତ ହୋଇଛି ।