କଟକ/ଯାଜପୁର: ଏଲପିଜି ସିଲିଣ୍ଡରର ଅବୈଧ ମହଜୁଦ ଏବଂ କଳାବଜାରୀ ବିରୁଦ୍ଧରେ ରାଜ୍ୟବ୍ୟାପୀ ଜାରି ରହିଥିବା ଅଭିଯାନରେ କଟକର ଏକ ଗୋଦାମରୁ ପ୍ରାୟ ୫୦୦ ଏଲପିଜି ସିଲିଣ୍ଡର ଜବତ ହୋଇଛି।
ଗୁପ୍ତ ସୂଚନା ଆଧାରରେ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ସିଲିଣ୍ଡରକୁ ଜବତ କରାଯାଇଥିଲା। ଯେଉଁଗୁଡ଼ିକୁ ଚଢ଼ା ମୂଲ୍ୟରେ ବିକ୍ରୟ ପାଇଁ ରଖା ଯାଇଥିଲା। ଏହି ଘଟଣାରେ ଈଶ୍ୱରପୁର ଅଞ୍ଚଳର ଅମରେନ୍ଦ୍ର ସାହୁଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।ଜବତ ସିଲିଣ୍ଡରଗୁଡ଼ିକୁ ପରେ କଣ୍ଟାପଡ଼ାର ଏକ ଅଧିକୃତ ଗ୍ୟାସ୍ ଏଜେନ୍ସିକୁ ପଠାଯାଇଥିଲା।
ସେହିପରି ଯାଜପୁର ଜିଲ୍ଲାରେ ଯୋଗାଣ ବିଭାଗ କଳାବଜାରୀ ବିଷୟରେ ସୂଚନା ପାଇ ଚଣ୍ଡିଖୋଲର ସ୍ୱାଇଁ ବଜାରର ଏକ ଦୋକାନରେ ଚଢାଉ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନଟି ଖୋଲାଯାଇଥିଲା ଏବଂ ପ୍ରାୟ ୫୭ ଏଲପିଜି ସିଲିଣ୍ଡର ଜବତ କରାଯାଇଥିଲା। ଦୋକାନ ମାଲିକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି।