କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ଏବେ ତୀବ୍ର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ହୁଗୁଳି ନଦୀରେ କରିଥିବା ନୌକା ବିହାର ଏବଂ ଝାରଗ୍ରାମରେ ଝାଲମୁଢ଼ି ଖାଇବା ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସେ ଏକ ରାଜନୈତିକ ‘ଫଟୋ-ଅପ୍’ ବା କେବଳ ଫଟୋ ଉଠାଇବାର ଏକ ବାହାନା ବୋଲି କହିଛନ୍ତି।
ମମତାଙ୍କ ସିଧାସଳଖ ଚ୍ୟାଲେଞ୍ଜ: ‘ଯମୁନାରେ ବୁଡ଼ ପକାଇପାରିବେ କି?’
ହାଓ୍ୱଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମମତା କହିଛନ୍ତି, “ଆମ ଗଙ୍ଗା (ହୁଗୁଳି ନଦୀ) ସଫା ଅଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ଏଠାରେ ନୌକା ବିହାରର ମଜା ନେଇପାରିଲେ। କିନ୍ତୁ ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି- ଦିଲ୍ଲୀର ଯମୁନା ନଦୀରେ କ’ଣ ସେ ନୌକା ବିହାର କରିପାରିବେ କିମ୍ବା ବୁଡ଼ ପକାଇପାରିବେ? ଦିଲ୍ଲୀରେ ଯମୁନା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇସାରିଛି। ଆପଣମାନେ ଦିଲ୍ଲୀରେ ଯମୁନାକୁ ପରିଚାଳନା କରିପାରୁନାହାନ୍ତି, ଅଥଚ ଆମ ଗଙ୍ଗାକୁ ଆସି ଫଟୋ ଉଠାଉଛନ୍ତି।”
ପରେ ଦିନର ଅନ୍ୟ ଏକ ସମୟରେ ପୋର୍ଟ ଏରିଆରେ ଅନୁଷ୍ଠିତ ଆଉ ଏକ ରାଲିରେ ମଧ୍ୟ ମମତା ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀର ଯମୁନା ଏବଂ ବଙ୍ଗଳାର ଗଙ୍ଗା ମଧ୍ୟରେ ତୁଳନା କରିବା ଉଚିତ୍। ନିର୍ବାଚନ ସମୟରେ ଫଟୋସୁଟ୍ କରିବା ଛଡ଼ା ଏହି ଘଟଣାରେ ଆଉ କିଛି ଉଦ୍ଦେଶ୍ୟ ନଥିଲା।”
ମାଛ-ଭାତ ଖାଇବାକୁ ନିମନ୍ତ୍ରଣ
ଝାରଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦି ଏକ ରାସ୍ତାକଡ଼ ଦୋକାନରୁ ୧୦ ଟଙ୍କା ଦେଇ ଝାଲମୁଢ଼ି ଖାଇଥିଲେ। ଏହାକୁ ସମ୍ପୂର୍ଣ୍ଣ ରୂପେ ଏକ ‘ସଜାଣିଆ ନାଟକ’ ବୋଲି ମମତା କହିଛନ୍ତି, “ସେହି ଝାଲମୁଢ଼ି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା ଏବଂ ଦୋକାନ ଭିତରେ ଆଗରୁ କ୍ୟାମେରା ଖଞ୍ଜା ଯାଇଥିଲା। ପ୍ରଧାନମନ୍ତ୍ରୀ କେବେ ପକେଟରେ ୧୦ ଟଙ୍କିଆ ନୋଟ୍ ଧରି ବୁଲନ୍ତି ବୋଲି ଆପଣମାନେ ବିଶ୍ୱାସ କରୁଛନ୍ତି କି? ଯଦି ସେ ପ୍ରକୃତରେ ବଙ୍ଗଳାକୁ ଏତେ ଭଲପାଉଛନ୍ତି, ତେବେ ଥରେ ଆମର ପାରମ୍ପରିକ ଖାଦ୍ୟ ‘ମାଛ-ଭାତ’ ଖାଇକି ଦେଖନ୍ତୁ। ମୁଁ ନିଜେ ତାଙ୍କ ପାଇଁ ରାନ୍ଧିବି।”
ଅନ୍ୟପକ୍ଷରେ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ତାଙ୍କୁ “ବଙ୍ଗଳାର ସବୁଠାରୁ ବଡ଼ ବ୍ରାଣ୍ଡ୍ ଆମ୍ବାସାଡର୍” ବୋଲି ଆଖ୍ୟା ଦେଇଛନ୍ତି।
ଅଭିଷେକ କହିଛନ୍ତି, “ସେମାନେ କେବଳ ନିର୍ବାଚନ ସମୟରେ କାହିଁକି ଆସୁଛନ୍ତି? ସେମାନେ ବର୍ଷସାରା ବଙ୍ଗଳାକୁ ଆସିବା ଉଚିତ୍। ଏଠାରେ ଗୁପ୍ଚୁପ୍ (ଫୁଚକା), ଝାଲମୁଢ଼ି ଖାଇବା ଉଚିତ୍। ପ୍ରଧାନମନ୍ତ୍ରୀ ଆସି ଏଠାରେ ଯେଉଁଭଳି ବୁଲାବୁଲି କରି ରିଲ୍ସ (Reels) ପ୍ରସ୍ତୁତ କଲେ, ସେଥିପାଇଁ ଏବେ ପୂରା ଦେଶ ଜାଣିପାରିବ ଯେ ବଙ୍ଗଳା କେତେ ସୁନ୍ଦର ଏବଂ ମମତା ବାନାର୍ଜୀଙ୍କ ସରକାର ଏଠାରେ କେତେ ବିକାଶ କରିଛନ୍ତି।”
ସେ ଆହୁରି ମଧ୍ୟ ଯୋଡ଼ିଥିଲେ ଯେ, “ପ୍ରଧାନମନ୍ତ୍ରୀ ଯେଉଁଠି ଠିଆ ହୋଇ ଝାଲମୁଢ଼ି ଖାଉଥିଲେ, ତାହା ଝାରଗ୍ରାମ ପୌରପାଳିକା ଦ୍ୱାରା ନିର୍ମିତ ହୋଇଥିଲା। ଏବଂ ଯେଉଁ ବ୍ୟକ୍ତି ତାଙ୍କୁ ଝାଲମୁଢ଼ି ବିକୁଥିଲେ, ସେ ନିଜେ କହିଛନ୍ତି ଯେ ସେ ବିହାରରୁ ଆସିଛନ୍ତି। ବିହାରରେ ବିଜେପି କ୍ଷମତାରେ ଥିବା ବେଳେ ସେ ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବଙ୍ଗଳାକୁ ଆସିଛନ୍ତି। ଏଥିରୁ ସେମାନଙ୍କର (ବିଜେପିର) ମିଛ ପଦାରେ ପଡ଼ିଯାଉଛି।”