ସମ୍ବଲପୁର:ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ପୂର୍ବତନ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାସ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିରଞ୍ଚି ନାରାୟଣ ଦାସ ଏବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଅଛନ୍ତି । ଉଭୟଙ୍କୁ କୋର୍ଟ ୨ ବର୍ଷ ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଦଣ୍ଡାଦେଶ ପରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନଙ୍କ ପେନ୍ସନ୍ ବନ୍ଦ କରିବା ଏବଂ କାର୍ଯ୍ୟରତ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ସୁପାରିସ କରାଯିବ ବୋଲି ସୂଚନା ମିଳିଛି।
୨୦୦୮-୨୦୦୯ ମସିହାରେ ମାନେଶ୍ୱର ବ୍ଲକରେ ମନରେଗା ଯୋଜନାରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ମିଥ୍ୟା ମାପ ପ୍ରଦର୍ଶନ କରି ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ଦୁଇ ଯନ୍ତ୍ରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଶନିବାର ମାମଲାର ବିଚାର କରି ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।