ନିଲମ୍ବିତ ବିଧାୟକଙ୍କୁ ନେଇ ବିଜେଡି-ବିଜେପି ଛକାପଞ୍ଝା: ପ୍ରମିଳା କହିଲେ ‘ଲୋକଙ୍କୁ ଭୁଆଁ ବୁଲାଉଛନ୍ତି’,ମନ୍ତ୍ରୀ ଦେଲେ କଡ଼ା ଜବାବ
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଜେଡିରୁ ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଦାବିରେ ସୋମବାର ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ, ଶାସକ ବିଜେପି ଏହି ଦାବିକୁ ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ବୋଲି ଅଭିହିତ କରିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଦେଖିବାକୁ ମିଳିଛି।
ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା ୧୯୧(୨) ଏବଂ ଦଶମ ଅନୁସୂଚୀ (ଦଳବଦଳ ନିରୋଧୀ ଆଇନ) ଅନୁଯାୟୀ ଯେଉଁ ୮ ଜଣ ବିଧାୟକ ଦଳର ହ୍ୱିପକୁ ଅମାନ୍ୟ କରିଛନ୍ତି, ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ଉଚିତ୍। ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ, “ଏହି ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନ ସମୟରେ ଦଳର ନିର୍ଦ୍ଦେଶକୁ ବେଖାତିର କରି ନିଜ ଇଚ୍ଛା ମୁତାବକ ଭୋଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ସର୍ବସାଧାରଣରେ ଦଳ ବିରୋଧରେ ବିବୃତ୍ତି ଦେଇଛନ୍ତି, ଯାହାକି ସ୍ୱେଚ୍ଛାକୃତ ଭାବେ ଦଳ ଛାଡ଼ିବା ସହ ସମାନ। ଆମେ ଆଇନ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ ଏହି ନିଷ୍କର୍ସରେ ପହଞ୍ଚିଛୁ ଏବଂ ବାଚସ୍ପତିଙ୍କୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛୁ।”
ଏହି ପ୍ରସଙ୍ଗରେ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, “ହିମାଚଳ ପ୍ରଦେଶରେ ଯେଉଁଭଳି ଭାବେ ଦଳବଦଳ ନିରୋଧୀ ଆଇନ ଲାଗୁ କରି ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରାଯାଇଥିଲା, ଓଡ଼ିଶାରେ ମଧ୍ୟ ସମାନ ପଦକ୍ଷେପ ନିଆଯାଉ। ଦଳ ଓ ନେତାଙ୍କ ବିରୋଧରେ କାମ କରିଥିବା ଏହି ସଦସ୍ୟମାନଙ୍କୁ ଆଉ ବିଧାନସଭାରେ ରହିବାର ଅଧିକାର ନାହିଁ।”
ବିଜେଡିର ଏହି ଦାବି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ ବିଜେଡି ନେତାମାନଙ୍କୁ ଆଇନର ପାଠ ପଢ଼ାଇବାକୁ ଚେଷ୍ଟା କରିଛନ୍ତି। ସୁରେଶ ପୂଜାରୀ କହିଛନ୍ତି, “ବିଜେଡି ବୋଧହୁଏ ଦଳବଦଳ ନିରୋଧୀ ଆଇନ (Anti-Defection Law) ପଢ଼ିନାହିଁ କିମ୍ବା ବୁଝିପାରିନାହିଁ। ଯେତେବେଳେ ଗୋଟିଏ ଦଳ ତା’ର ସଦସ୍ୟଙ୍କୁ ନିଲମ୍ବନ କରେ, ତାର ଅର୍ଥ ସେମାନେ ଆଉ ଦଳର ପ୍ରାଥମିକ ସଦସ୍ୟ ନୁହଁନ୍ତି। ଯିଏ ଦଳର ସଦସ୍ୟ ନୁହେଁ, ସେ କାହିଁକି ଦଳର ହ୍ୱିପ୍ ମାନିବ? ହ୍ୱିପ୍ କେବଳ ଦଳ ଭିତରେ ଥିବା ସଦସ୍ୟଙ୍କ ପାଇଁ ଲାଗୁ ହୁଏ। ଯଦି ନିଲମ୍ବିତ ସଦସ୍ୟଙ୍କ ଉପରେ ହ୍ୱିପ୍ ଲାଗୁ ହେବ, ତେବେ ତାହା କଂଗ୍ରେସ ଓ ବିଜେପି ପାଇଁ ମଧ୍ୟ ଲାଗୁ ହେବା କଥା! ବିଜେଡି ଏହି ସାଧାରଣ ନିୟମ ଜାଣିନାହିଁ କି ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହିଁ। ଯଦି ଆବଶ୍ୟକ ଥାଏ, ଆସନ୍ତୁ ଆମେ ଆପଣଙ୍କୁ ଆଇନ ବୁଝାଇଦେବୁ।”
ସୁରେଶ ପୂଜାରୀଙ୍କ ଏହି ମନ୍ତବ୍ୟ ପରେ ପ୍ରମିଳା ମଲ୍ଲିକ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, “ସେମାନେ ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି। ହିମାଚଳ ପ୍ରଦେଶରେ ଯଦି ଆଇନ ଲାଗୁ ହୋଇପାରିଲା, ଏଠି କାହିଁକି ହେବନାହିଁ? ସୁରେଶ ପୂଜାରୀ କ’ଣ ଆମ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆଇନ କାନୁନ ପଢ଼ାଇବେ କି?”
ବିଧାନସଭା ଅଧିବେଶନ ପୂର୍ବରୁ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ ଏବେ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ଏକ ବଡ଼ ରାଜନୈତିକ ଲଢ଼େଇର ରୂପ ନେଇଛି। ଏବେ ସମସ୍ତଙ୍କ ନଜର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରହିଛି। ସେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏହି ୮ ବିଧାୟକଙ୍କ ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।