ISI Linked Arms Smuggling: ଡ୍ରୋନ ଦ୍ବାରା ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ର ଜବତ; ରହିଛି ୨୩ଟି ଅତ୍ୟାଧୁନିକ ବନ୍ଧୁକ ଏବଂ ୯୨ଟି କାର୍ଟ୍ରିଜ୍
ନୂଆଦିଲ୍ଲୀ:ଦେଶର ରାଜଧାନୀରେ ଏକ ପ୍ରମୁଖ ଆତଙ୍କବାଦୀ ଏବଂ ଅପରାଧିକ ନେଟୱାର୍କର ପର୍ଦ୍ଦାଫାଶ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ନିର୍ଦ୍ଦେଶରେ ଡ୍ରୋନ୍ ମାଧ୍ୟମରେ ଭାରତକୁ ପଠାଯାଉଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଅପରେସନରେ ଅନେକ ଚକିତ କଲାଭଳି ତଥ୍ୟ ପ୍ରକାଶ ପାଇଛି, ଯାହା ଜାତୀୟ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦକୁ ଇଙ୍ଗିତ କରୁଛି। ଏହି ଅପରେସନ୍ ସମୟରେ ପୋଲିସ ମୋଟ ୨୩ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଏବଂ ୯୨ଟି କାର୍ଟ୍ରିଜ୍ ଜବତ କରିଛି।
ଏଥିରେ ଜିଗାନା, ଗ୍ଲୋକ୍ ଏବଂ ପିଏକ୍ସ ଭଳି ହାଇଟେକ୍ ପିସ୍ତଲ ଅନ୍ତର୍ଭୁକ୍ତ, ଯାହା ସାଧାରଣତଃ ବୃତ୍ତିଗତ ଅପରାଧୀ ଏବଂ ଆତଙ୍କବାଦୀ ସଂଗଠନ ଦ୍ୱାରା ବ୍ୟବହୃତ ହୁଏ। ପୋଲିସ କହିଛି ଯେ ଏତେ ସଂଖ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏକାଠି ମିଳିବା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ। ଏହି ମାମଲାରେ ଏପର୍ଯ୍ୟନ୍ତ ନଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି,ଯେଉଁମାନଙ୍କୁ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଯାଇଥିଲା।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି । ଏହି ବ୍ୟକ୍ତିମାନେ ଭାରତରେ ଏକ ଅସ୍ତ୍ରଶସ୍ତ୍ର ଯୋଗାଣ ନେଟୱାର୍କ ଚଳାଉଥିଲେ। ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି, ଯାହା ଆଧାରରେ ପୋଲିସ ଏବେ ଏହି ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି ।
ଅତିରିକ୍ତ ସିପି ସ୍ପେଶାଲ୍ ସେଲ୍ ପ୍ରମୋଦ କୁଶୱାହା କହିଛନ୍ତି ଯେ, ସ୍ପେଶାଲ୍ ସେଲ୍ ଟିମ୍ ଗୁପ୍ତ ସୂଚନା ପାଇଥିଲା ଯେ ଶାହବାଜ ଅନସାରୀ ଏବଂ ତା’ର ଦାଦା ରେହାନ୍ ଅନସାରୀ ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ସିଣ୍ଡିକେଟ୍ ପରିଚାଳନା କରୁଛନ୍ତି। ଏହି ବ୍ୟକ୍ତିମାନେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିଲେ, ଯାହାକୁ ପରେ ନେପାଳ ସୀମା ଦେଇ ଭାରତ (ଦିଲ୍ଲୀ-NCR ଏବଂ ଉତ୍ତର ପ୍ରଦେଶ)କୁ ଯୋଗାଣ କରାଯାଉଥିଲା।
ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଶାହବାଜ ଅନସାରୀଙ୍କ ନାମ ସାମ୍ନାକୁ ଆସିଥିଲା। ସେହି ମାମଲାରେ ଗିରଫ କରାଯାଇଥିଲା ଏବଂ ପରେ ଜାମିନରେ ଆସିଲା ପରେ ବାଂଲାଦେଶ ପଳାଇ ଯାଇଥିଲା। ଶାହବାଜର ସମ୍ପର୍କୀୟ ଭାଇ ରାହିଲ ଅନସାରୀ ଭାରତରେ ଅସ୍ତ୍ରଶସ୍ତ୍ରର ରିସିଭ କରୁଥିଲା ।
ଦିଲ୍ଲୀର ମୌଜପୁରର ବାସିନ୍ଦା ଫରଦିନ, ୟୁପିର ଆଜମଗଡ଼ର ବାସିନ୍ଦା ବିଶାଲ ସିଂଘାନିଆ ଏବଂ ଜୌନପୁରର ଅହମ୍ମଦ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବିକ୍ରି କରୁଥିଲେ।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ବିହାରର ମୁଙ୍ଗେରରେ ଘରୋଇ ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିଲା ଏବଂ ସେଗୁଡ଼ିକ ଏହି ନେଟୱାର୍କ ସହିତ ଜଡିତ ହୋଇପାରେ। ଏହା ସ୍ପଷ୍ଟ ଯେ ଏହା ଏକ ସଂଗଠିତ, ବଡ଼ ଧରଣର ଷଡ଼ଯନ୍ତ୍ର ଥିଲା, ଯାହା ଅନ୍ତର୍ଜାତୀୟ ଏବଂ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରୁଥିଲା। ଦିଲ୍ଲୀ ପୋଲିସ ଏବେ ଏହି ସମ୍ପୂର୍ଣ୍ଣ ନେଟୱାର୍କର ଗଭୀର ତଦନ୍ତ କରୁଛି । ଯାହା ଦ୍ଵାରା ଏହାର ସମସ୍ତ ଦିଗକୁ ପର୍ଦ୍ଦାଫାଶ କରାଯାଇପାରିବ ଏବଂ ଭବିଷ୍ୟତରେ ଏପରି ଷଡ଼ଯନ୍ତ୍ରକୁ ରୋକାଯାଇପାରିବ।