Latest Odisha News

BREAKING NEWS

ବିଦାୟ ନେବ କି ୮ ବର୍ଷର ବାମପନ୍ଥୀ ସରକାର? ‘ପୋଲ୍ ଅଫ୍ ପୋଲ୍ସ’ରେ କଂଗ୍ରେସର ଜିତାପଟ

ଥିରୁଅନନ୍ତପୁରମ୍: ଭାରତର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ମେ’ ୪ ତାରିଖରେ ଆସିବାକୁ ଯାଉଛି। ତେବେ ପ୍ରକୃତ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ, ରାଜନୈତିକ ମାହୋଲକୁ ବେଶ୍ ସରଗରମ କରିଦେଇଛି।

ବିଶେଷକରି କେରଳକୁ ନେଇ ଆସିଥିବା ଏକଜୁଟ୍ ଆକଳନ ସମସ୍ତଙ୍କୁ ଚମକାଇ ଦେଇଛି। ରିପୋର୍ଟ ଅନୁଯାୟୀ, କେରଳରେ ଏଥର ବଡ଼ ଧରଣର କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦୧୬ ମସିହାରୁ ରାଜ୍ୟରେ ଲଗାତାର ଶାସନ କରୁଥିବା ବାମପନ୍ଥୀ ସରକାର ବା ଏଲଡିଏଫ ବିଦାୟ ନେବେ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପୁଣିଥରେ କ୍ଷମତାକୁ ଫେରିବ।

ସୂଚନାଯୋଗ୍ୟ ଯେ, କେରଳ ବିଧାନସଭାରେ ମୋଟ ୧୪୦ଟି ଆସନ ରହିଛି। ସରକାର ଗଠନ କରିବା ପାଇଁ ଏଠାରେ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୭୧। ‘ପୋଲ୍ ଅଫ୍ ପୋଲ୍ସ’ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କେରଳରେ ଏଥର କଂଗ୍ରେସ ମେଣ୍ଟର ପଲା ବେଶ୍ ଭାରୀ ରହିଛି ଏବଂ ସେମାନେ ସହଜରେ ବହୁମତ ହାସଲ କରିନେବେ।

କେଉଁ ସଂସ୍ଥାର କ’ଣ ରହିଛି ଆକଳନ?
ମୋଟ ୭ଟି ପ୍ରମୁଖ ସଂସ୍ଥା ନିଜର ଏକଜିଟ୍ ପୋଲ୍ ତଥ୍ୟ ସାର୍ବଜନୀନ କରିଛନ୍ତି। ଆସନ୍ତୁ ନଜର ପକାଇବା କାହାକୁ ମିଳୁଛି କେତେ ସିଟ୍:

ଆକ୍ସିସ୍ ମାଇଁ ଇଣ୍ଡିଆ (Axis My India): ଏହି ସଂସ୍ଥାର ଆକଳନ ସବୁଠୁ ବଡ଼ ବିଜୟ ଦର୍ଶାଉଛି। ୟୁଡିଏଫକୁ ସର୍ବାଧିକ ୭୮ ରୁ ୯୦ଟି ସିଟ୍ ମିଳିପାରେ। ସେହିପରି ଏଲଡିଏଫ ୪୯-୬୨ ସିଟ୍ ଏବଂ ବିଜେପି ମାତ୍ର ୦-୩ଟି ଆସନ ମଧ୍ୟରେ ସୀମିତ ରହିବ।

ପିପୁଲ୍ସ ଇନସାଇଟ୍ (Peoples Insight): ଏଲଡିଏଫକୁ ୫୮-୬୮ ସିଟ୍, ୟୁଡିଏଫକୁ ୬୬-୭୬, ବିଜେପିକୁ ୧୦-୧୪ (ଯାହାକି ସର୍ବାଧିକ) ଏବଂ ଅନ୍ୟାନ୍ୟ ଦଳକୁ ୦-୧ ସିଟ୍ ମିଳିବାର ସମ୍ଭାବନା ରହିଛି।

ମ୍ୟାଟ୍ରିଜ୍ (Matrize): ଏଲଡିଏଫ ୬୦-୬୫, ୟୁଡିଏଫ ୭୫-୮୫ ଏବଂ ବିଜେପିକୁ ୩-୫ ସିଟ୍ ଦେଇଛି ଏହି ସଂସ୍ଥା।

ଜେଭିସି (JVC): ଏଲଡିଏଫ ୫୨-୬୧, ୟୁଡିଏଫ ୭୨-୮୪ ଏବଂ ବିଜେପି ହାତକୁ ୩-୭ଟି ସିଟ୍ ଯିବ ବୋଲି ଅନୁମାନ କରାଯାଇଛି।

ଭୋଟ୍ ଭାଇବ୍ (Vote Vibe): ଏଲଡିଏଫ ୫୮-୬୮, ୟୁଡିଏଫ ୭୦-୮୦ ଏବଂ ବିଜେପି ୦-୪ ଆସନ ପାଇପାରେ।

ପିପୁଲ୍ସ ପଲ୍ସ (People Pulse): ଏଲଡିଏଫ ୬୦-୬୫, ୟୁଡିଏଫ ୭୦-୭୫ ଏବଂ ବିଜେପିକୁ ୩-୫ ସିଟ୍ ମିଳିବ।

ପିଏମଏଆରକ୍ୟୁ (PMARQ): ଏଲଡିଏଫ ୬୨-୬୯, ୟୁଡିଏଫ ୭୧-୭୯ ଏବଂ ବିଜେପି ୧-୪ ଆସନରେ ସୀମିତ ରହିବ।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ସବୁ ଏକଜିଟ୍ ପୋଲ୍‌ର ନିଷ୍କର୍ଷ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ସପକ୍ଷରେ ହିଁ ଯାଉଛି। ଯଦିଓ ଏହି ସବୁ ନମ୍ବର କେବଳ ଭୋଟରଙ୍କ ମତାମତ ଉପରେ ଆଧାରିତ ଏବଂ ଏହା ଶେଷ ଫଳାଫଳ ନୁହେଁ, ତଥାପି ଏହା ୨୦୧୬ ରୁ ଲଗାତର ଭାବେ ଶାସନରେ ଥିବା ବାମପନ୍ଥୀ ମେଣ୍ଟ ପାଇଁ ଏକ ଶକ୍ତ ଝଟକା ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

Leave A Reply

Your email address will not be published.