ନୟାଗଡ଼: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର। ୯ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପଥର ଭିତରୁ ଉଦ୍ଧାର। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ଉଦ୍ଧାର ପାଇଲେ। ଉଦ୍ଧାର ପାଇଥିବା ନାବାଳକକୁ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ମହୁ ଫେଣା ଭାଙ୍ଗିବାକୁ ଯାଇ ପଥର ସନ୍ଧିରେ ଫସିଥିଲେ ନୟାଗଡ଼ ଓଡ଼ଗାଁ ରାଣୀପଡ଼ାର ନାବାଳକ ଶିବ ପ୍ରଧାନ।
ସୂଚନା ଅନୁସାରେ ନୟାଗଡ଼ ବାଉଁଶଗାଡ଼ିଆ କାନିପଦା ଜଙ୍ଗଲରେ ଥିବା ପାହଡ଼ରେ ମହୁ ଫେଣା ଭାଙ୍ଗିବାକୁ ଯାଇଥିଲେ ଶିବ। ଏହି ସମୟରେ ମାଟି ଖସିଯିବାରୁ ପଥର ସନ୍ଧିରେ ଫସି ଯାଇଥିଲେ ନାବାଳକ। ପଥର ସନ୍ଧିରେ ସକାଳ ୭ଟାରୁ ଫସି ରହିଥିଲେ ନାବାଳକ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ଜାଗାକୁ ଅନ୍ୟମାନେ କିପରି ନଯାଇପାରିବେ ପୋଲିସ ଘେରାବନ୍ଦୀ କରି ରଖିଥିଲା। ଅଗ୍ନିଶମ କର୍ମଚାରୀ ନାବାଳକଙ୍କୁ ଉଦ୍ଧାର କାର୍ଯ୍ୟ କରିଥିଲେ।
ନାବାଳକଙ୍କୁ ଉଦ୍ଧାର ପାଇଁ ଭୁବନେଶ୍ବର ଅଗ୍ନିଶମ ବିଭାଗର କମାଣ୍ଡ କଣ୍ଟ୍ରୋଲ ରୁମରୁ ମଧ୍ୟ ମନିଟରିଂ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କୁ ଭିସି ମାଧ୍ୟମରେ ଗାଇଡ କରିଥିଲେ ବରିଷ୍ଠ ଅଧିକାରୀ। ଉଦ୍ଧାର ସମୟରେ ପିଲାଠୁ ମାତ୍ର ଅଳ୍ପ ଦୂରରେ ବିରାଟ ଅଜଗର ରହିଥିଲା । ଶେଷରେ ଦୀର୍ଘ ସାଢେ ୯ ଘଣ୍ଟାର ରେସକ୍ୟୁ ଅପରେସନ ପରେ ନାବାଳକଙ୍କୁ ପଥର ସନ୍ଧିରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ନାବାଳକଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।